Categories: ଖେଳ

ହକି ପ୍ରୋ ଲିଗ୍‌: ଭାରତର ଜର୍ମାନୀ, ବ୍ରିଟେନ ବିପକ୍ଷ ମ୍ୟାଚ ସ୍ଥଗିତ

ଲାଉସାନେ, ୨୦। ୩ – କୋଭିଡ-୧୯ ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ) ଚଳିତ ହକି ପ୍ରୋ ଲିଗ୍‌ ମ୍ୟାଚକୁ ମେ ୧୭ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ପୂର୍ବରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ୧୨ଟି ମ୍ୟାଚ ସ୍ଥଗିତ ରଖା ଯାଇଥିଲା। ସମୟସୀମା ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ିବାରୁ ଆଉ ୧୨ଟି ମ୍ୟାଚ ପ୍ରଭାବିତ ହୋଇଛି। ଇତି ମଧ୍ୟରେ ଭାରତ ଜର୍ମାନୀ ଯାଇ ବର୍ଲିନରେ ଏପ୍ରିଲ ୨୫, ୨୬ ଏବଂ ଇଂଲଣ୍ଡ ଯାଇ ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ଲଣ୍ଡନରେ ମେ ୨ ଓ ୩ରେ ୨ଟି ଲେଖାଏ ମ୍ୟାଚ ଖେଳିବାର ଥିଲା। ମାତ୍ର ତାହା ଏବେ ସ୍ଥଗିତ ରହିଛି। ” କୋଭିଡ-୧୯ ସଂକ୍ରମଣର ପରବର୍ତ୍ତୀ ସ୍ଥିତିକୁ ଦୃଷ୍ଟିରେ ରଖି ଏଫଆଇଏଚ୍‌ ମେ ୧୭ ପର୍ଯ୍ୟନ୍ତ ପ୍ରୋ ଲିଗ୍‌ ମ୍ୟାଚକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଏହାକୁ ବିଶ୍ୱସ୍ତରରେ ଅଂଶଗ୍ରହଣକାରୀ ସମସ୍ତ ଦେଶ ସମର୍ଥନ ଜଣାଇଛନ୍ତି“ ବୋଲି ଏଫଆଇଏଚ୍‌ ପକ୍ଷରୁ କୁହା ଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଏଫଆଇଏଚ୍‌ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଛି। ମେ ୧୭ ପରେ ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପ୍ରକାଶ କରାଯାଇଛି। ଜର୍ମାନୀ ଓ ଗ୍ରେଟ୍‌ ବ୍ରିନେଟ ବିପକ୍ଷ ମ୍ୟାଚ ପରେ ଭାରତ ମେ ୨୩ ଓ ୨୪ରେ ଘରୋଇ ପରିବେଶରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଜୁନ ୫ ଓ ୬ରେ ଟୁକୁମାନଠାରେ ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ। ଚଳିତ ସିଜନରେ ଭାରତ ଏହାର ଶେଷ ମ୍ୟାଚ ଜୁନ ୧୩ ଓ ୧୪ରେ ଭାଲେନ୍ସିଆଠାରେ ସ୍ପେନ ବିପକ୍ଷରେ ଖେଳିବ। ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ୟୁରୋପ ଯାଇ ସେମାନଙ୍କ ମ୍ୟାଚ ଖେଳିବାକୁ ମନା କରି ଦେଇଛନ୍ତି। ଭାଇରସଦ୍ୱାରା ୨,୦୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବାରୁ ବିଶ୍ୱବ୍ୟାପୀ ଅନେକ କ୍ରୀଡ଼ା ପ୍ରତିଯୋଗିତାକୁ ବାତିଲ କରାଯାଉଛି କିମ୍ବା ସ୍ଥଗିତ ରଖା ଯାଉଛି।
ଏଫଆଇଏଚ୍‌ର ପରବର୍ତ୍ତୀ ନିଷ୍ପତ୍ତି ଅନୁସାରେ ଭାରତ ମ୍ୟାଚ ବ୍ୟତୀତ ଏପ୍ରିଲ ୨୮ ଓ ୨୯ରେ ନେଦରଲାଣ୍ଡ୍ସ-ଗ୍ରେଟ୍‌ ବ୍ରିଟେନ(ଉଟ୍ରେଚ୍‌), ମେ ୧୫ରେ ବେଲଜିୟମ-ସ୍ପେନ(ଆଣ୍ଟ୍ବେର୍ପ), ମେ ୧୬ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ(ପର୍ଥ), ଗ୍ରେଟ ବ୍ରଟେନ-ଆର୍ଜେଣ୍ଟିନା(ଲଣ୍ଡନ) ଏବଂ ମେ ୧୭ରେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ(ପର୍ଥ), ଗ୍ରେଟ ବ୍ରିଟେନ-ଆର୍ଜେଣ୍ଟିନା(ଲଣ୍ଡନ) ଓ ବେଲଜିୟମ-ସ୍ପେନ(ଆଣ୍ଟ୍ବେର୍ପ) ମ୍ୟାଚ ପ୍ରଭାବିତ ହେବ।

Share