ହକି ବିଶ୍ୱ କପ୍‌ ପାଇଁ ୬୭ କୋଟି ଖର୍ଚ୍ଚ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‌ ଆୟୋଜନ କରି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରୁ ପ୍ରଶଂସା ସାଉଁଟିଲେ। ୨୦୧୮ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ଯାଏ ଏହି ହକି ମହାକୁମ୍ଭର ଆୟୋଜନ କରାଯାଇଥିଲା। ତେବେ ଏଥିପାଇଁ ରାଜ୍ୟ ସରକାରଙ୍କୁ ରାଜକୋଷରୁ ୬୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଛି। ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବିଭାଗ କହିଛି ଯେ, ପୁରୁଷ ହକି ବିଶ୍ୱକପ ଆୟୋଜନ ପାଇଁ ୬୬.୯୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଛନ୍ତି। ଏହି ଖେଳ ପାଇଁ ରାଜ୍ୟ ସରକାର ୨୦୧୮-୧୯ ବଜେଟରେ ୮୨.୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ। ତେବେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏହି ଖେଳ ପାଇଁ ୫୯.୫୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏକ ପ୍ରାଥମିକ ଆକଳନ କରି ସରକାରଙ୍କୁ ରିପୋର୍ଟ ଦେଇଥିଲା। ଏହାଛଡା ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ପାଇଁ ହକି ଇଣ୍ଡିଆ ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ(ଏଫ୍‌ଆଇଏଚ୍‌)କୁ ୨୫ କୋଟି ଟଙ୍କା ପ୍ରଦାନ କରିଥିଲା। ଖେଳର ପ୍ରଚାର ଓ ଗଣମାଧ୍ୟମ ପାଇଁ ୯.୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଖେଳ ପରିଚାଳନା ପାଇଁ ୧୮.୮୯ କୋଟି, ଖେଳପଡ଼ିଆକୁ ଖେଳାଳିମାନଙ୍କୁ ନେବା ଆଣିବା କରିବା ବାବଦରେ ୩.୮୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଦେଶ ବିଦେଶରେ ଏହି କ୍ରୀଡ଼ାକୁ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ୧.୯୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଖେଳାଳି ଓ ଅନ୍ୟ ଅତିଥିମାନଙ୍କୁ ରହିବା ପାଇଁ ୧.୪୧ କୋଟି ଏବଂ ରାଜ୍ୟ ସରକାର ୮୪.୯୬ ଲକ୍ଷ ବୈଧାନିକ ଖର୍ଚ୍ଚ (ଷ୍ଟାଚୁଟାରି ଏକ୍ସପେନ୍‌ସେସ) କରିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ କୌତୂହଳର କଥା ଯେ ଏହି ଖେଳ ପାଇଁ ଅନ୍ୟାନ୍ୟ (ମିସଲାନିୟସ) ଖର୍ଚ୍ଚ ହୋଇଥିବା ୫.୯୬ କୋଟି ଟଙ୍କାର କୌଣସି ହିସାବ ବିଭାଗ ଦେଇ ନାହିଁ। ବିଶ୍ୱକପ ବେଳେ ଭଡ଼ାରେ ଅଣାଯାଇଥିବା ବିଭିନ୍ନ ଯନ୍ତ୍ରାଂଶ ବିଷୟରେ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଖେଳ ସମୟରେ କେତେ ଟିକେଟ ବିକ୍ରି ହୋଇଥିଲା ଓ ଏବାବଦରେ ରାଜ୍ୟ ସରକାର କେତେ ଟଙ୍କା ଆଦାୟ କରିଛନ୍ତି ସେ ନେଇ ମଧ୍ୟ କିଛି କୁହାଯାଇ ନାହିଁ। ବିଶ୍ୱକପରେ ହୋଇଥିବା ଖର୍ଚ୍ଚକୁ ନେଇ ବିରୋଧୀ ଦଳ ଓ ସ୍ବେଚ୍ଛାସେବୀ ସଂଗଠନଗୁଡିକ ଅନେକ ସମୟରେ ଆପତ୍ତି ଉଠାଇଛନ୍ତି।

Share