ହକି ସମ୍ପର୍କିତ ସଂକଳ୍ପକୁ ସମର୍ଥନ: ମୁଖ୍ୟମନ୍ତ୍ରୀଙ୍କୁ ସବୁ ଦଳ ସଦସ୍ୟଙ୍କ ପ୍ରଶଂସା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ୨୦୨୩ରେ ରାଜ୍ୟରେ ଦ୍ୱିତୀୟ ଥର ଲାଗି ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବ। ଏହାର ସଫଳତା କାମନା କରି ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ସଂକଳ୍ପ ଆଣିଥିଲେ। ଏହି ଅବସରରେ ନରସିଂହ କହିଛନ୍ତି, ହକି ହେଉଛି ଓଡିଶାର ଏକ ଲୋକପ୍ରିୟ କ୍ରୀଡା। ସୁନ୍ଦରଗଡ ଜିଲାର ଅଧିକାଂଶ ପିଲା ହକି ଖେଳିବାକୁ ପସନ୍ଦ କରୁଛନ୍ତି। ସେଠାରୁ କେବଳ ଅନ୍ତର୍ଜାତୀୟ ହକି ଖେଳାଳି ନୁହନ୍ତି ବରଂ କ୍ୟାପ୍‌ଟେନ୍‌ ବାହାରୁଛନ୍ତି। ଏସିଆନ ଆଥ୍‌ଲେଟିକ କ୍ରୀଡା ପ୍ରତିଯୋଗିତା କଥା ମନେପଡୁଛି। ଯେତେବେଳେ ଛତିଶଗଡ ଏବଂ ଆଉ କେତୋଟି ରାଜ୍ୟ ଏହି ପ୍ରତିଯୋଗିତା ନିଜ ରାଜ୍ୟରେ କରିବା ଲାଗି ମନା କରିଦେଲେ ଓଡିଶା ସରକାର ଏହି କ୍ରୀଡା ଆୟୋଜନ ପାଇଁ ରାଜି ହୋଇଗଲେ। ଏହାଦ୍ୱାରା ଓଡ଼ିଶାର ନାଁ ରହିଲା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନେକ ଅବଦାନ ରହିଛି। ଆଗକୁ ୨୦୨୩ରେ ହକି ବିଶ୍ୱକପ୍‌ ଦ୍ୱିତୀୟ ଥର ଲାଗି ଓଡିଶାରେ ହେବାକୁ ଯାଉଛି। ଦଳମତ ନିର୍ବିଶେଷରେ ସମସ୍ତେ ଏଥିପାଇଁ ହାତ ବଢାଇବା ଦରକାର। ଏଥିରେ ରାଜନୀତି ନ ପଶାଇବା ଲାଗି ସେ ଅନୁରୋଧ କରିଛନ୍ତି। ତୃଳମୂଳସ୍ତରରୁ ପିଲାଙ୍କ ମଧ୍ୟରେ କ୍ରୀଡା ପ୍ରତି ଭଲ ମନୋଭାବ ସୃଷ୍ଟି କରିବା ଦରକାର। ସବୁ ଜିଲା ମୁଖ୍ୟାଳୟରେ ଜାତୀୟସ୍ତରର ଷ୍ଟାଡିୟମ ଏବଂ ବ୍ଲକସ୍ତରରେ ମିନି ଷ୍ଟା଼ଡିୟମ ଖୋଲିବା ପାଇଁ ନରସିଂହ କହିଛନ୍ତି।
ଭାଜପା ଉପନେତା ବିଷ୍ଣୁ ସେଠୀ କହିଛନ୍ତି, କଂଗ୍ରେସ ନେତା ଆଣିଥିବା ପ୍ରସ୍ତାବକୁ ସମର୍ଥନ ଜଣାଉଛି। ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ହକି ବିଶ୍ୱକପ ଓଡିଶାରେ କରିବାକୁ ଘୋଷଣା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଶାସକ ଦଳ ସଦସ୍ୟ ଅମର ପ୍ରସାଦ ଶତପଥୀ, ଦେବୀ ପ୍ରସାଦ ମିଶ୍ର, ରୋହିତ ପୂଜାରୀ,ଅନନ୍ତ ନାରାୟଣ ଜେନା ଓ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ଏହାସହ ନରସିଂହ ଆଣିଥିବା ସଂକଳ୍ପକୁ ସମର୍ଥନ ମଧ୍ୟ ଜଣାଇଥିଲେ। ରୋହିତ ପୂଜାରୀ ମଧ୍ୟ ଏହି ସଂକଳ୍ପକୁ ସମର୍ଥନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି।

Share