ହଗ୍‌ କର୍ଟନ୍‌

କାଲିଫର୍ଣ୍ଣିଆ: କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଜୋର୍‌ ଦେଉଛନ୍ତିି। ସେଥିପାଇଁ ତ କେହି କାହା ପାଖକୁ ନ ଆସିବା ପାଇଁ କୁହାଯାଉଛି। କିନ୍ତୁ ସାମାଜିକ ଦୂରତା ରକ୍ଷାକରି ଜେଜେ, ଜେଜେ ମା’ଙ୍କୁ ହଗ୍‌ (ଆଲିଙ୍ଗନ) କରିବା ପାଇଁ ଏକ ନୂଆ ଉପାୟ ବାହାର କରିଛନ୍ତି କାଲିଫର୍ଣ୍ଣିଆର ୧୦ ବର୍ଷର ଝିଅ ପିଗି। ସୁରକ୍ଷା ସହିତ ଜେଜେ ଓ ଜେଜେ ମା’ଙ୍କୁ ହଗ୍‌ କରିବା ପାଇଁ ସେ ବାହାର କରିଛନ୍ତି ଏକ ସ୍ବତନ୍ତ୍ର ଧରଣର ଉପକରଣ। ପିଗି ତିଆରି କରିଥିବା ଏହି ଉପକରଣକୁ ତାଙ୍କ ମା’ ଲିଣ୍ଡ୍‌ସେ ଓକ୍‌ରେ ଫେସ୍‌ବୁକ୍‌ରେ ପୋଷ୍ଟକରି ତା’ର ନାଁ ‘ହଗ୍‌ କର୍ଟନ୍‌’ ଦେଇଛନ୍ତି। ଏହି ଉପକରଣଟି ପ୍ଲାଷ୍ଟିକ୍‌ରେ ତିଆରି। ଦ୍ୱାର ପାଖରେ ଏହା ଏକ ପରଦା ଭଳି ଝୁଲିଥାଏ। ଏଥିରେ ନିଜର ଦୁଇହାତକୁ ଗଳାଇ ପରଦା ଏପଟରୁ ପିଗି ତାଙ୍କ ଜେଜେ ଓ ଜେଜେ ମା’ଙ୍କୁ ହଗ୍‌ କରିପାରୁଛନ୍ତି। ଏଭଳି ହଗ୍‌ କରି ଉଭୟ ବେଶ୍‌ ଭାବବିହ୍ବଳ ହୋଇ ପଡୁଛନ୍ତି। ପିଗିଙ୍କ ଏଭଳି ଢଙ୍ଗରେ ହଗ୍‌ କରିବା ଶୈଳୀ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଲୋକେ ବେଶ୍‌ ଭାବପ୍ରବଣ ହୋଇ ବିଭିନ୍ନ କମେଣ୍ଟ କରିଛନ୍ତି। ଏବେ ସୁଦ୍ଧା ପିଗିଙ୍କର ଏହି ଭିଜୁଆଲକୁ ୮ ହଜାରରୁ ଅଧିକ ଲୋକ ଦେଖି ପ୍ରଶଂସା କରିଛନ୍ତି ଓ ତାଙ୍କ ଜେଜେ ଓ ଜେଜେ ମା’ଙ୍କ ଓଠରେ ସେ ହସ ଫୁଟାଇ ପାରିଛନ୍ତି ବୋଲି କମେଣ୍ଟ ଦେଇଛନ୍ତି।

Share