Categories: ଖେଳ

ହଙ୍ଗେରୀରେ ଦର୍ଶକ ଉପଭୋଗ କଲେ ମ୍ୟାଚ

ମିସ୍‌କୋଲ୍‌କ (ହଙ୍ଗେରୀ), ୧ା୬ (ଏଏଫ୍‌ପି): କରୋନାଭାଇରସ୍‌ ଯୋଗୁ ଦୁଇ ମାସ ବ୍ରେକ୍‌ ପରେ ହଙ୍ଗେରୀରେ ଫୁଟ୍‌ବଲ ମ୍ୟାଚ ଆରମ୍ଭ ହୋଇଛି। ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିଛନ୍ତି। ସମଗ୍ର ୟୁରୋପରେ ଏହା ପ୍ରଥମ। ମହାଦେଶରେ ପୁଣି ଆରମ୍ଭ ହୋଇଥିବା ଅନ୍ୟ ଲିଗ୍‌ ଗୁଡ଼ିକ ରୁଦ୍ଧଦ୍ୱାରରେ ଖେଳାଯାଉଛି। ହଙ୍ଗେରିଆନ ଫୁଟ୍‌ବଲ ଆସୋସିଏଶନ (ଏମ୍‌ଏଲଏସ୍‌ଜି) ମାର୍ଚ୍ଚ ପରଠାରୁ ପ୍ରଥମେ କ୍ଲବଗୁଡ଼ିକର ସମର୍ଥକଙ୍କୁ ସର୍ତ୍ତ ଭିତ୍ତିରେ ଷ୍ଟାଡିୟମ ଭିତରକୁ ଅନୁମତି ଦେଇଥିଲା। ଷ୍ଟାଡିୟମର ପ୍ରତି ଦ୍ୱିତୀୟ ଧାଡ଼ି ଖାଲି ରହିବ। ଦୁଇ ଦେଖଣାହାରୀଙ୍କ ମଧ୍ୟରେ ତିନୋଟି ଆସନ ଖାଲି ରହିବ। ଶନିବାର ଉତ୍ତର-ପୂର୍ବାଞ୍ଚଳ ସହର ମିସ୍‌କୋଲକ ସହରରେ ଡିଓସ୍‌ଗ୍ୟୋର୍‌ କ୍ଲବ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା। ଏହି କ୍ଲବ ମୋଜୋକୋଭେଡ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଷ୍ଟାଡିୟମରେ ୨,୨୫୫ ଦର୍ଶକ ଉପସ୍ଥିତ ଥିଲେ। ଦୁଇ କ୍ଲବର ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ୩୬ ବର୍ଷୀୟ ରିଚାର୍ଡ କୋଭାକ୍ସ କହିଥିଲେ ଆମକୁ ନିୟମ ମାନି ଚଳିବାକୁ ପଡ଼ିବ। ତା’ ନହେଲେ ମ୍ୟାଚ ରୁଦ୍ଧଦ୍ୱାରରେ ଖେଳାଯିବ। ଡିଓସ୍‌ଗ୍ୟୋର୍‌ ଫେସ୍‌ମାସ୍କ ପରିଧାନ କରିଥିବା ୧୮ବର୍ଷୀୟ ଜଣେ ଛାତ୍ର ସିସାବା ଗାସପାରିକ୍ସ କହିଛନ୍ତି ଭାଇରସ୍‌ର ମୂଳୋତ୍ପାଟନ ହୋଇନାହିଁ। ଆମକୁ ଦୂରତ୍ୱ ବଜାୟ ରଖିବାକୁ ପଡ଼ିବ। ୪୧ବର୍ଷୀୟ ଗାବର ଲେଙ୍ଗୟେଲ କହିଛନ୍ତି ମହାମାରୀ ଅପେକ୍ଷା ଆମେ ବିଜୟ ପରାଜୟ ନେଇ ଚିନ୍ତିତ।

Share