ହଜାରେ ବର୍ଷରେ ଥରେ ବାଦୁଡିଠାରୁ ମଣିଷକୁ ବ୍ୟାପୁଛି କରୋନା !

ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)ର ଏକ ସୂଚନା ଅନୁଯାୟୀ, ଚାଇନାରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି କୋଭିଡ-୧୯ ମହାମାରୀର ମୂଳ କୁହାଯାଉଥିବା କରୋନା ଭାଇରସ ବାଦୁଡିଙ୍କଠାରେ ଦେଖାଯାଉଥିବା ଏକ ପ୍ରକାର ଭୂତାଣୁର ପରିବର୍ତ୍ତିତ ରୂପ। ଆଇସିଏମ୍‌ଆର୍‌ କହିଛି ଏହା ସିଧାସଳଖ ଭାବେ ବାହୁଡିଠାରୁ ମଣିଷକୁ ବ୍ୟାପୁଛି ଅବା ବଜ୍ରକାପ୍ତାଠାରୁ ମଣିଷକୁ ବ୍ୟାପିଛି ତାହା ଗବେଷଣାରେ ସ୍ପଷ୍ଟ କରାଯାଇନାହିଁ। ଆଇସିଏମ୍‌ଆର୍‌ର ବରିଷ୍ଠ ବିଶେଷଜ୍ଞ ଡାକ୍ତର ରମଣ ଆର୍‌ ଗଙ୍ଗାଖେଡକର କହିଛନ୍ତି ଚାଇନାରେ ଯେଉଁ ଗବେଷଣା କରାଯାଇଛି ତାହାର ତଥ୍ୟ କହୁଛି କରୋନା ଭାଇରସ ପ୍ରଥମେ ବାଦୁଡି ମଧ୍ୟରେ ବିକଶିତ ହୋଇଥିଲା। ଏହାପରେ ଏହା ମଣିଷ ମଧ୍ୟରେ ସଂକ୍ରମିତ ହୋଇଛି। ଏହି ତଥ୍ୟ ଆହୁରି ମଧ୍ୟ କହୁଛି କି କରୋନା ଭାଇରସ ପ୍ରଥମେ ବାଦୁଡ଼ି ପରେ ବଜ୍ରକାପ୍ତା ଓ ଏହାପରେ ମଣିଷ ଦେହରେ ସଂକ୍ରମିତ ହୋଇଥାଇପାରେ। ସେ ଆହୁରି ମଧ୍ୟ କହିଛନ୍ତି ବାହୁଡିଠାରୁ କରୋନା ଭାଇରସ ମଣିଷ ଦେହକୁ ୧ ହଜାର ବର୍ଷରେ ଥରେ ହୋଇଥାଏ। ହେଲେ ଏହା କାହାଠାରୁ ବ୍ୟାପୁଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ସେ କହିଛନ୍ତି। ପୂର୍ବରୁ ଯାହା ଶୁଣିବାକୁ ମିଳୁଥିଲା କି ଚାଇନାର ଏକ ବଜ୍ରକାପ୍ତା ବିକ୍ରି ହେଉଥିବା ବଜାରରୁ ପ୍ରଥମେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା ତାହାକୁ ଏବେ ବିଶେଷଜ୍ଞମାନେ ଖଣ୍ଡନ କରିଛନ୍ତି। ତେବେ କରୋନା ଭାଇରସ କେଉଁଠୁ କେଉଁଠିକି ସଂକ୍ରମିତ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେବି ଏହାକୁ ନେଇ ଗବେଷଣା ଜାରି ରହିଛି।

Share