ଚେନ୍ନାଇ,୧୩।୬: ତାମିଲନାଡୁ ସରକାର ରାଜ୍ୟର କିଛି ସହର ଓ ଗାଁ ସମେତ ୧ହଜାରରୁ ଅଧିକ ସ୍ଥାନର ନାମ ପରିବର୍ତ୍ତନ କରିଛନ୍ତି। ଇଂରାଜୀରେ ଥିବା ଏହିସବୁ ନାମକୁ ତାମିଲ ଭାଷାରେ ପରିବର୍ତ୍ତନ କରିବାକୁ ସରକାର ଚେଷ୍ଟା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କେତେଜଣ ତାମିଲ ପ୍ରେମୀ ସ୍ବାଗତ କରିଥିବା ବେଳେ କରୋନା ମହାମାରୀ ସମୟରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ମଧ୍ୟ ଉଠିଛି। ତେବେ ପରିବର୍ତ୍ତିତ ହୋଇଥିବା କିଛି ସ୍ଥାନ ମଧ୍ୟରୁ କୋଏମ୍ବାଟୁର ଏବେ କୋୟମପୁଥ୍ଥୁର ନାମରେ ପରିଚିତ ହେବ। ମିଳିଥିବା ସୂଚନାରୁ ଜଣାପଡିଛି ପାଖାପାଖି ୨ ବର୍ଷ ହେବ ଏହି କାମ ଆରମ୍ଭ କରାଯାଇଥିବା ବେଳେ ଏବେ ଏହା ସମ୍ପୂର୍ଣ୍ଣ କରାଯାଇଛି। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ତାମିଲନାଡୁର ୧,୦୧୮ ସ୍ଥାନର ନାମ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଇଂରେଜମାନେ ତାମିଲ ଭାଷା ବୁଝି ପାରୁ ନ ଥିବାରୁ ସେମାନେ ତାଙ୍କ ସୁବିଧା ଅନୁଯାୟୀ ଅନେକ ସ୍ଥାନର ନାମ ଇଂରାଜୀ ଭାଷା ଅନୁଯାୟୀ ରଖିଥିଲେ। ହେଲେ ଏବେ ଏହା ପରିବର୍ତ୍ତନ କରାଯାଇ ତାମିଲ ଭାଷାରେ କରାଯାଇଛି।