ହଜିଗଲା ମାନବିକତା: କୁଷ୍ଠ ରୋଗୀ ବୋଲି ମିଳିଲାନି କାନ୍ଧ, ସାଇକେଲରେ ବୁହା ହେଲା ମୃତଦେହ

ପର୍ଲା,(ଡି.ଏନ୍‌.ଏ.),୧୮।୧- ଆଜିର ଅତ୍ୟାଧୁନିକ ସମାଜରେ ମଧ୍ୟ ଅନେକେ ଅନ୍ଧବିଶ୍ୱାସ ଭଳି ସାମାଜିକ ବ୍ୟାଧିଗ୍ରସ୍ତ। ଏପରିକି ସମାଜରେ ମାନବିକତା ଧୀରେ ଧୀରେ ହଜିବାକୁ ବସୁଛି। ଏଭଳି ଅଭାବନୀୟ ଘଟଣା କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳ ଛଞ୍ଚାଣବାହାଳି ପଞ୍ଚାୟତ ବେହେରାଗୁଡାରେ ଦେଖିବାକୁ ମିଳିଛି। କୁଷ୍ଠରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଅନ୍ତିମ ସଂସ୍କାର ପାଇଁ କେହି ଆଗକୁ ଆସି ନ ଥିଲେ। ଫଳରେ ସାଇକେଲରେ ମୃତଦେହକୁ ଶ୍ମଶାନ ନିଆଯାଇଥିବା ଜଣାପଡ଼ିଛି।

ଗ୍ରାମର ସୁବାସ ଦୋରୁଆନ (୪୫)ଗତ ୪ବର୍ଷ ତଳେ କୁଷ୍ଠ ରୋଗରେ ପୀଡିତ ଥିଲେ। ଏହା ଜାଣିବା ପରେ ସ୍ତ୍ରୀ ସୁଲ ତାଙ୍କୁ ଛାଡ଼ି ପଳାଇଥିଲେ। ଏବେ ତାଙ୍କର ଗୋଟିଏ ଝିଅ ଓ ଦୁଇ ପୁଅ ରହିଛନ୍ତି। ଫଳରେ ଏବେ ବୃଦ୍ଧା ଜେଜେ ମା’ଙ୍କ ଉପରେ ପରିବାରର ବୋଝ ପଡ଼ିଛି। ସେ ଅନ୍ୟ ଘରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ଶୁକ୍ରବାର ରାତିରେ ପୁଅ ସୁବାସଙ୍କ ମୃତ୍ୟୁ ଘଟିବା ପରେ ସେ ମୃତଦେହ ଶ୍ମଶାନକୁ ନେବାପାଇଁ ଜାତି ଭାଇ ଓ ପରିଜନକୁ କାକୁତି ମିନତି କରିଥିଲେ। ହେଲେ କେହି ଆସି ନ ଥିଲେ। ଦୀର୍ଘ ୧୦ଘଣ୍ଟା ଧରି ମୃତଦେହ ପଡ଼ି ରହିବା ପରେ ଶେଷରେ ମୃତକଙ୍କ ଦାଦା ଏବଂ ପୁତୁରା ଶନିବାର ସାଇକେଲରେ ଲଦି ତାଙ୍କୁ ଶ୍ମଶାନକୁ ନେଇଥିଲେ। ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏବେ ମୃତକଙ୍କ ପୁଅ ଝିଅ ଓ ବୃଦ୍ଧା ମା’ ଅସହାୟ ହୋଇ ପଡିଛନ୍ତି। ଏମାନଙ୍କ ଥଇଥାନ ବ୍ୟବସ୍ଥା ପାଇଁ ପ୍ରଶାସନ ଓ ସରକାର ପଦକ୍ଷେପ ନେବା ସହ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀଙ୍କ ଦାବି କରିଛନ୍ତି।

Share