ହଜିଗଲା ମାନବିକତା: ବୃଦ୍ଧାଙ୍କୁ ରାସ୍ତାରେ ଛାଡ଼ି ଦେଲେ

ଜଳେଶ୍ୱର, ୩୦।୧୦(ଡି.ଏନ.ଏ.)-ଦିନକୁ ଦିନ ଲୋକଙ୍କ ମଧ୍ୟରେ ହଜିଯାଉଛି ମାନବିକତା। ସମାଜରେ ଅସହାୟମାନଙ୍କୁ ସାହାଯ୍ୟ କରିବା ଦୂରେ ଥାଉ ନିଜ ପରିବାରର ସଦସ୍ୟଙ୍କୁ ଅସହାୟ ଅବସ୍ଥାରେ ରାସ୍ତାକଡରେ ଛାଡିଦେବାକୁ ଲୋକେ ପଛାଉନାହାନ୍ତି। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ଜଳେଶ୍ୱର ସହରର ପୁରୁଣିଆ ବଜାର ବାସନ୍ତୀପଡ଼ିଆ ନିକଟରେ। ପଶ୍ଚିମବଙ୍ଗ ରାଜ୍ୟର କଲିକତା ଜିଲା ସିଆଲଦହ ଥାନା ନିମିଲିପୁସିଲି ଗ୍ରାମର ଆସଲିମା ନାମକ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବୃଦ୍ଧାଙ୍କୁ କିଛିଦିନ ତଳେ ତାଙ୍କର ଭାଉଜ ଏବଂ ମାଉସୀ ଏକ ଭ୍ୟାନ୍‌ରେ ଆଣି ଏହି ସ୍ଥାନରେ ଏକ ଦୋକାନ ପିଣ୍ଡାରେ ବସିବାକୁ କହି ଛାଡି ଚାଲିଯାଇଛନ୍ତି। ବିଚରା ବୃଦ୍ଧା ସେମାନଙ୍କର ଆସିବା ବାଟକୁ ଆଜକୁ ୪ଦିନ ହେଲା ଚାହିଁ ବସିଛନ୍ତି। ସ୍ଥାନୀୟ ଲୋକମାନେ ମାନସିକ ବିକୃତ ଭାବି ପ୍ରଥମ ଦିନ ଖାଇବାକୁ ଦେଇଥିଲେ। ପରେ ବୃଦ୍ଧାଙ୍କ ନିକଟରୁ ସମସ୍ତ କଥା ଜଣାପଡ଼ିଥିଲା। ଆସଲିମା ବନାରସର ଇବ୍ରାହିମ ନାମକ ଲୋକକୁ ବିବାହ କରିଥିଲେ। ତାଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ସ୍ବାମୀ ଇବ୍ରାହୀମଙ୍କ ମୃତ୍ୟୁ ପରେ ସିଆଲଦହ ଥାନା ଅଞ୍ଚଳରେ ଥିବା ତାଙ୍କ ବାପଘରେ ଭାଇଙ୍କ ସହ ରହୁଥିଲେ। ତାଙ୍କର ଗୋଟିଏ ହାତ ଭଙ୍ଗା ସହ ବୃଦ୍ଧ ହୋଇଯାଇଥିବାରୁ ତାଙ୍କର ଆମତ୍ୀୟମାନେ ତାଙ୍କୁ ଆଣି ଏଠାରେ ଛାଡ଼ି ଚାଲିଯାଇଛନ୍ତି। ଏବେ ସ୍ଥାନୀୟ ଲୋକଙ୍କଠାରୁ କେତେବେଳେ ମାଗି ଖାଉଛନ୍ତି ତ କେତେବେଳେ ଉପାସ ଶୋଇ ରହୁଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା କରାଗଲେ ସେ ତାଙ୍କ ଘରକୁ ଫେରିଯାଇପାରନ୍ତେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।