Categories: ଫୁରସତ

ହଜିଛି ଶୁଆ: ଫେରାଇ ଆଣିବାକୁ ସହର ସାରା ପୋଷ୍ଟର ମାରିଲେ ଶିକ୍ଷକ

ତ୍ତତ୍ତରପ୍ରଦେଶର ବାରଣସୀରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ନିଖୋଜ ପୋଷା ଶୁଆକୁ ଫେରାଇ ଆଣିବା ପାଇଁ ଏକ ପରିବାର ପୋଲିସଠାରୁ ଆରମ୍ଭ କରି ସହରର ଗଳି କନ୍ଦିରେ ପୋଷ୍ଟର ଲଗାଇବାକୁ ମଧ୍ୟ ପଛାଇନାହାନ୍ତି। ଏପରିକି ଶୁଆଟିକୁ ଖୋଜିଦେବା ବ୍ୟକ୍ତିଙ୍କୁ ୫,୧୦୦ ଟଙ୍କା ପୁରସ୍କାର ସ୍ବରୂପ ଦିଆଯିବ ବୋଲି ମଧ୍ୟ କୁହାଯାଇଛି।

ବାରଣସୀର ଜୌତପୁରା ଦାରାନଗର ଅଞ୍ଚଳରେ ରୁହନ୍ତି ଅରବିନ୍ଦ କୁମାର। ସେ ପେସାରେ ଜଣେ ଶିକ୍ଷକ। ଅରବିନ୍ଦ ଘରେ ଏକ ଶୁଆ ପୋଷିଥିଲେ। ଗତ ଶୁକ୍ରବାର ଶୁଆଟି ଘରୁ ଉଡି କେଉଁଆଡେ ଚାଲିଯାଇଛି। ଏହାକୁ ନେଇ ସେ ଏବଂ ତାଙ୍କ ପରିବାର ବ୍ୟସ୍ତ ହୋଇଯାଇଛନ୍ତି। ସେ ପ୍ରଥମେ ପୋଲିସ ନିକଟରେ ଅଭିଯୋଗ କରି ସହାୟତା ଲୋଡ଼ିବା ପରେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ଛାଡ଼ିଥିଲେ। ଏଥିରେ କିଛି ସୁଫଳ ନ ମିଳିବାରୁ ଏବେ ନିଖୋଜ ପୋଷ୍ଟର ମାରିଛନ୍ତି ଅରବିନ୍ଦ।

ସେ କୁହନ୍ତି, ଶୁଆଟି ତାଙ୍କର ପରିବାର ସଦସ୍ୟ ପରି ଥିଲା। ସେ ପରିବାରଲୋକଙ୍କ ସହ ଏକାଠି ଖାଇବା ସହ ଖୋଲାରେ ବୁଲୁଥିଲା। ହଠାତ ସେ ନିଖୋଜ ହୋଇଯାଇଥିବା କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସେମାନେ। ଏଣୁ ତାକୁ ଖୋଜି ଆଣିବାକୁ ସମସ୍ତ ଚେଷ୍ଟା କରାଯାଉଥିବା ଅରବିନ୍ଦ କହିଛନ୍ତି।

Share