ହଟାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମା: ୩୫୦୦ ଲୋକ ହେଲେ ସ୍ଥାନାନ୍ତର

ରୋମ୍‌,୩।୨: ଇଟାଲୀର ଭେନିସ୍‌ରେ ଏକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋମାକୁ ହଟାଯାଇଛି। ଏଥିପାଇଁ ୩୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବୋମାକୁ ନିଷ୍କ୍ରିୟ କରି ସମୁଦ୍ରରେ ଭସାଇ ଦିଆଯାଇଛି। ବୋମାକୁ ନିଷ୍କ୍ରିୟ କରିବା ସମୟରେ ସ୍ଥାନୀୟ ମାର୍କୋପୋଲୋ ବିମାନ ବନ୍ଦରରେ ସମସ୍ତ ଉଡ଼ାଣକୁ ୮ ଘଣ୍ଟା ଲାଗି ବାତିଲ କରି ଦିଆଯାଇଥିଲା। ଏହି ବୋମାର ଓଜନ ୨୨୫ କିଗ୍ରା ରହିଥିବାବେଳେ ଏଥିରେ ୧୨୯ କିଗ୍ରା ବିସ୍ଫୋରକ ଥିଲା ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ବୋମାଟି ପୁରୁଣା ଥିଲେ ମଧ୍ୟ ଏହାଦ୍ୱାରା ବିସ୍ଫୋରଣ ହେବାର ଆଶଙ୍କା ଥିବାରୁ ଏହାକୁ ନିଷ୍କ୍ରିୟ କରି ସମୁଦ୍ରରେ ଭସାଇ ଦିଆଯାଇଥିବା ସୈନ୍ୟ ବାହିନୀ ରେଜିମେଣ୍ଟ କମାଣ୍ଡର ଗିୟାଲୁସା ଡେଲ୍ଲୋ ମୋନୈକୋ ସୂଚନା ଦେଇଛନ୍ତି।

Share