ନୂଆଦିଲ୍ଲୀ,୧୩।୨:ଓ୍ବକ୍ଫ ବିଲ୍ ସମ୍ପର୍କିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଗୁରୁବାର ପାର୍ଲାମେଣ୍ଟର ଉଭୟ ଗୃହରେ ଉପସ୍ଥାପନ କରାଯାଇଥିବାବେଳେ ଏହାକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ। ରିପୋର୍ଟରୁ ଅସହମତ ନୋଟ୍ଗୁଡ଼ିକୁ ହଟାଇ ଦିଆଯାଇଥିବା ଅଭିଯୋଗ ଆଣି ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଥିଲେ। ତେବେ ସେଗୁଡ଼ିକୁ ସାମିଲ କରିବାରେ ସରକାରଙ୍କର କୌଣସି ଆପତ୍ତି ନ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କହିଛନ୍ତି।
ଜେପିସି ଅଧ୍ୟକ୍ଷ ତଥା ଭାଜପା ଏମ୍ପି ଜଗଦମ୍ବିକା ପାଲ୍ ଲୋକ ସଭାରେ ଓ୍ବକ୍ଫ (ସଂଶୋଧନ) ବିଲ୍ ଉପରେ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାକୁ ବିରୋଧ କରି ବିପକ୍ଷ ଦଳର ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିବାବେଳେ ଗୁରୁବାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକାଳ ଶେଷ ହୋଇଛି। ଲୋକ ସଭାକୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।
ରାଜ୍ୟ ସଭାରେ ମଧ୍ୟ ଜେପିସି ରିପୋର୍ଟକୁ ନେଇ ଅନୁରୂପ ସ୍ଥିତି ଉପୁଜିଥିଲା। ଏହାକୁ ପ୍ରତ୍ୟାହାର କରିନେବା ପାଇଁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ। ଏହାକୁ ନେଇ ସରକାରୀ ଓ ବିରୋଧୀ ସଦସ୍ୟ ମୁହଁାମୁହିଁ ହେବାରୁ କିଛି ସମୟ ପାଇଁ ଗୃହକୁ ମୁଲତବୀ ରଖାଯାଇଥିଲା। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ନେତୃତ୍ୱରେ ବିରୋଧୀ ଏମ୍ପିମାନେ ରିପୋର୍ଟରୁ ଅସହମତି ନୋଟ୍ଗୁଡ଼ିକୁ ବାଦ୍ ଦିଆଯାଇଥିବା ଅଭିଯୋଗ ଆଣିଥିଲେ, ଯାହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଖଣ୍ଡନ କରିଥିଲେ। ବିରୋଧୀ ସଦସ୍ୟମାନେ ସେମାନଙ୍କ ଆସନରେ ଛିଡ଼ା ହୋଇ ଏବଂ ଗୃହର ମଧ୍ୟଭାଗକୁ ଯାଇ ରିପୋର୍ଟ ପ୍ରତ୍ୟାହାର ପାଇଁ ଦାବି ଜୋର୍ଦାର କରିବାରୁ ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଜଗଦୀପ୍ ଧନ୍କର ଚେତାବନୀ ଦେଇଥିଲେ। ରାଷ୍ଟ୍ରପତିଙ୍କ ବାର୍ତ୍ତା ପାଠ କରାଯାଉଥିବାବେଳେ ବିଶୃଙ୍ଖଳାକୁ ନେଇ ଗୃହର ନେତା ଜେ.ପି. ନଡ୍ଡା ଦୁଃଖ ପ୍ରକାଶ କରିଥିଲେ। ଓ୍ବକ୍ଫ ଜେପିସି କମିଟି ରିପୋର୍ଟରେ ସଂଖ୍ୟାଗରିଷ୍ଠ ସଦସ୍ୟମାନଙ୍କ ମତାମତକୁ ରଖାଯାଇ ବିରୋଧୀଙ୍କ ମତାମତକୁ ବାଦ୍ ଦିଆଯାଇଛି। ଏହା ନିନ୍ଦନୀୟ ଏବଂ ଗଣତନ୍ତ୍ର ବିରୋଧୀ ବୋଲି ଖାର୍ଗେ କହିଥିଲେ। ଏଭଳି ଜାଲ୍ ରିପୋର୍ଟକୁ ପ୍ରତ୍ୟାହାର କରିନିଆଯାଇ ପୁଣିଥରେ କମିଟିକୁ ପଠାଯାଉ ବୋଲି ସେ ଆହ୍ବାନ ଦେଇଥିଲେ। ଡିସେଣ୍ଟ ନୋଟ୍କୁ ବାଦ୍ ଦିଆଯିବା ଘଟଣାକୁ ଡିଏମ୍କେର ତିରୁଚି ଶିବ ଏବଂ ଆପ୍ ଏମ୍ପି ସଞ୍ଜୟ ସିଂ ବିରୋଧ କରିଥିଲେ। ଅସହମତ ନୋଟ୍ଗୁଡ଼ିକ ଅନୁପଯୁକ୍ତ ଏବଂ ଅଣସଂସଦୀୟ ହୋଇଥିଲେ ତାହାକୁ ହଟାଇବା କ୍ଷମତା ଜେପିସି ଅଧ୍ୟକ୍ଷଙ୍କର ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ। ବିରୋଧୀ ସଦସ୍ୟମାନେ ଭୁଲ୍ ଅଭିଯୋଗ ଆଣି ଗୃହକୁ ବିଭ୍ରାନ୍ତ କରୁଥିବା କେନ୍ଦ୍ରମନ୍ତ୍ରୀ ଯାଦବ ଏବଂ ନିର୍ମଳା ସୀତାରାମନ୍ କହିଥିଲେ।


