ହଟ୍‌ସ୍ପଟ୍‌ ଅଞ୍ଚଳରେ ହେବ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌: ୩୦ ମିନିଟ୍‌ରେ ଚିହ୍ନଟ ହେବେ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨।୪: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। କରୋନା ହଟ୍‌ସ୍ପଟ୍‌ ପାଲଟିଥିବା ଅଞ୍ଚଳରେ କମ୍‌ ସମୟରେ ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଏହି ପ୍ରଣାଳୀ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ମାତ୍ର ୩୦ ମିନିଟ୍‌ ମଧ୍ୟରେ କରୋନା ଭୂତାଣୁ ଚିହ୍ନଟ କରିବାକୁ ସକ୍ଷମ ହେବ। ଏହା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କର ପୂର୍ବରୁ ଅବା ପରୀକ୍ଷା ସମୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ ତାହାର ବିବରଣୀ ମଧ୍ୟ ଏହି ପରୀକ୍ଷା ଦ୍ୱାରା ଜଣାପଡ଼ିବ। ସମ୍ପ୍ରତି ଭାରତରେ ପ୍ରଚଳିତ ପରୀକ୍ଷା ଦ୍ୱାରା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ୨-୩ଦିନ ସମୟ ଲାଗୁଛିି। ଅଧିକାଂଶ ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଅଳ୍ପ କେତେକ ଲକ୍ଷଣ ଦେଖାଦେଉଛି। ସେସବୁ ମଧ୍ୟରେ ଜ୍ୱର ହେବା ଅବା କାଶ ଆଦି ରହିଛି। କିନ୍ତୁ ବୟସ୍କଙ୍କ କ୍ଷେତ୍ରରେ କେତେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ସାଧାରଣ ପରୀକ୍ଷାରେ ମ୍ୟୁକସ୍‌(ଲସିକା) ଏବଂ ସାଲାଇଭା(ଲାଳ) ନମୁନା ସଂଗ୍ରହ କରାଯାଇଥାଏ। ତେବେ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ରେ ରକ୍ତ ନମୁନାର ସେରୋଲୋଜିକାଲ ପରୀକ୍ଷା କରାଯାଇଥାଏ। ଫଳରେ ବ୍ୟକ୍ତିଙ୍କ ରକ୍ତରେ କରୋନା ଭୂତାଣୁ ଅଛି କି ନାହିଁ ତାହା ଜଣାପଡ଼ିଥାଏ। ଏହା ୧୦-୧୫ ମିନିଟ୍‌ ମଧ୍ୟରେ ଜଣାଗଲେ ମଧ୍ୟ ଭଲ ଭାବେ ଅବଗତ ହେବା ପାଇଁ ପରବର୍ତ୍ତୀ ପରୀକ୍ଷାଗୁଡ଼ିକ କରାଯାଏ। ସେଥିପାଇଁ ପ୍ରାୟ ୧୫ ମିନିଟ୍‌ ମଧ୍ୟ ଲାଗିଥାଏ ବୋଲି ଆଇସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।

Share