ହତ୍ୟାକାରୀଙ୍କୁ ଫାଶୀ ଦିଅ

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ନର୍ସ ନୀହାରିକା ପାତ୍ର ଗତ ୮ତାରିଖରେ ନିଖୋଜ ହୋଇଯାଇଥିଲେ। ଏହାର ୯ଦିନ ପରେ ବିରିଡ଼ି ଥାନା ବିଲୁଆଖାଇ ନଦୀପଠାରୁ ତାଙ୍କ ଗଳିତ ମୃତଦେହ ମିଳିଥିଲା। ମୃତଦେହରୁ ମାଂସ ଝଡ଼ିଯାଇଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିିଥିଲା। ପରିବାର ଲୋକେ ପୋଷାକରୁ ମୃତଦେହ ଚିହ୍ନଟ କରିଥିଲେ। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ ଉଦ୍ଦେଶ୍ୟରେ ଡିଏନ୍‌ଏ ଟେଷ୍ଟ ପାଇଁ ପୋଲିସ ନିଷ୍ପତ୍ତି ନେଇଥିଲା। ସେହି ଅନୁଯାୟୀ, ନୀହାରିକାଙ୍କ ମା’ ପ୍ରତିମା ପାତ୍ର ଓ ବାପା ଗଗନ ପାତ୍ରଙ୍କୁ ଶୁକ୍ରବାର ଅପରାହ୍ନରେ ତାଙ୍କ ଗ୍ରାମ ଭିଙ୍ଗାରପୁରରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ଏହି ଅବସରରେ ଗଣମାଧ୍ୟମକୁ ନୀହାରିକାଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି, ମୋ ଝିଅକୁ ଯିଏ ଏମିତି ମାରିଛି ତାକୁ ସେମିତି ମରାଯାଉ। ମୋ ଝିଅକୁ ନ୍ୟାୟ ମିଳୁ। ନୀହାରିକା ଆମ ପରିବାରକୁ ପୋଷୁଥିଲା। ତାକୁ ହରାଇ ଆମେ କେମିତି ରହିବୁ। ସେହିପରି ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେବାକୁ ନୀହାରିକାଙ୍କ ବାପା ଦାବି କରିଛନ୍ତି। ତାଙ୍କ ଝିଅକୁ କିଶୋର ଗତ ୮ ତାରିଖରେ ନେଇଯାଇ ହତ୍ୟା କରିଥିବା ସେ କହିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି। ସେମାନଙ୍କୁ ଧରାଯାଉ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

Share