Categories: ଜାତୀୟ

ହତ୍ୟାର ତୃତୀୟ କାରଣ ପ୍ରେମ

ନୂଆଦିଲ୍ଲୀ,୨୦-୧୧:ଭାରତରେ ହତ୍ୟାର ତୃତୀୟ ବଡ଼ କାରଣ ହେଉଛି ପ୍ରେମ ବ୍ୟାପାର। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟାନୁସାରେ ୨୦୦୧ରୁ ୨୦୦୭ ମଧ୍ୟରେ ପ୍ରେମକୁ ନେଇ ହତ୍ୟାକାଣ୍ଡ ସବୁଠୁ ବେଶି ବୃଦ୍ଧି ପାଇଛି। ବିଶ୍ୱର ଅଧିକାଂଶ ଦେଶ ଭଳି ଭାରତରେ ମଧ୍ୟ ହତ୍ୟାର ହାର ବିଗତ କିଛି ବର୍ଷ ମଧ୍ୟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ ପଛରେ ତୃତୀୟ ମୁଖ୍ୟ କାରଣ ସାଜିଛି ପ୍ରେମ ବ୍ୟାପାର। ନିକଟରେ ଜାରି ହୋଇଥିବା ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି ଯେ, ୨୦୦୧ରେ ୩୬,୨୦୨ ହତ୍ୟା ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୭ ବେଳକୁ ଏହି ସଂଖ୍ୟା ୨୮,୬୫୩କୁ ଖସିଯାଇଥିଲା। ଅର୍ଥାତ୍‌ ଏହି ଅବଧି ମଧ୍ୟରେ ହତ୍ୟା ମାମଲା ୨୧% ହ୍ରାସ ପାଇଥିଲା। ଏହି ହତ୍ୟାକାଣ୍ଡଗୁଡ଼ିକ ପଛର କାରଣ ବ୍ୟକ୍ତିଗତ ଶତ୍ରୁତା ୪.୩% ଏବଂ ସମ୍ପତ୍ତି ବିବାଦ ୧୨% ଦାୟୀ। ସେହିପରି ପ୍ରେମ ବ୍ୟାପାର ଓ ଅନୈତିକ ସମ୍ପର୍କ ଯୋଗୁ ୨୮% ହତ୍ୟାକାଣ୍ଡ ଘଟିଥିବା ଏନ୍‌ସିଆର୍‌ବି ରିପୋର୍ଟର ବିଶ୍ଳେଷଣରୁ ଜଣାପଡ଼ିଛି।

୧୪ ରାଜ୍ୟରେ ନଂ.୧
ହତ୍ୟାକାରୀ ପ୍ରେମ
୨୦୧୭ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶରେ ହାରାହାରି ୩୮୪ ଲୋକ ପ୍ରେମଜନିତ ହିଂସା କାରଣରୁ ହତ୍ୟାର ଶିକାର ହୋଇଛନ୍ତି। ଅର୍ଥାତ୍‌ ଆନ୍ଧ୍ର ଓ ତେଲଙ୍ଗାନାରେ ଦିନକୁ ଅନୂ୍ୟନ ଜଣଙ୍କ ଜୀବନ ପ୍ରେମ ଯୋଗୁ ଯାଉଛି।
ସବୁଠୁ ଆଗରେ ଉତ୍ତରପ୍ରଦେଶ
ପ୍ରେମଜନିତ ହତ୍ୟାକାଣ୍ଡରେ ଦେଶରେ ସବୁଠୁ ଆଗରେ ରହିଛି ଉତ୍ତରପ୍ରଦେଶ। ଏହା ପଛକୁ ରହିଛି ତାମିଲନାଡ଼ୁ, କର୍ନାଟକ ଓ ଦିଲ୍ଲୀ। ଅଧିକାଂଶ ରାଜ୍ୟରେ ପ୍ରେମ ବ୍ୟାପାର ହତ୍ୟା ପଛର ତୃତୀୟ କିମ୍ବା ଚତୁର୍ଥ ବଡ଼ କାରଣ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ ଓ ଆସାମ।
କେରଳ, ପଶ୍ଚିମବଙ୍ଗରେ ସବୁଠୁ କମ୍‌
କେରଳ ଓ ପଶ୍ଚିମବଙ୍ଗରେ ଯେତିକି ହତ୍ୟାକାଣ୍ଡ ଘଟୁଛି ତା’ର ଟପ୍‌ ୫ କାରଣ ମଧ୍ୟରେ ପ୍ରେମ ରହିଛି। ଏହାସତ୍ତ୍ୱେ ଏହି ଦୁଇ ରାଜ୍ୟରେ ସବୁଠୁ କମ୍‌ ପ୍ରେମଜନିତ ହତ୍ୟାକାଣ୍ଡ ଘଟିଛି।
ଅନର୍‌ କିଲିଂ: ୨୦୧୬ରେ ୭୧, ୨୦୧୭ରେ ୯୨
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ ପ୍ରେମକୁ ନେଇ ହତ୍ୟାର ମୁଖ୍ୟ କାରଣ ହେଉଛି ତ୍ରିକୋଣୀୟ ପ୍ରେମ ବା ଅନୈତିକ ସମ୍ପର୍କ। ସେହିପରି ଅନର୍‌ କିଲିଂ ମଧ୍ୟ ଏହାର ଅନ୍ୟତମ ପ୍ରମୁଖ କାରଣ। ୨୦୧୬ରେ ସମ୍ମାନ ପାଇଁ ୭୧ ଜଣଙ୍କୁ ହତ୍ୟା କରାଯାଇଥିବାବେଳେ ୨୦୧୭ରେ ଅନରକିଲିଂ ଯୋଗୁ ୯୨ ଜଣଙ୍କ ଜୀବନ ଯାଇଥିଲା। ଭିନ୍ନ ଜାତି, ବର୍ଗ ଓ ଧର୍ମରେ ବିବାହ ଯୋଗୁ ପ୍ରେମୀ ଯୁଗଳ ପରିବାର ଏବଂ ସମ୍ପର୍କୀୟ ଲୋକଙ୍କ ହତ୍ୟାର ଶିକାର ହେଉଛନ୍ତି।

Share