ରିତେଶ ହତ୍ୟାକାରୀଙ୍କୁ ଫାଶୀ ଦିଅ

ଫୁଲବାଣୀ ଅଫିସ,୧୧।୬ – ଦାରିଙ୍ଗବାଡିର ଶିଶୁ ରିତେଶ ପ୍ରଧାନଙ୍କୁ ମେ’ ୫ରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ସ୍ବତନ୍ତ୍ର କୋର୍ଟ ଜରିଆରେ ତୁରନ୍ତ ବିଚାର କରି ଅଭିଯୁକ୍ତମାନଙ୍କୁ ଫାଶୀ ଦାବିରେ ଜିଲା ମୁଖ୍ୟାଳୟ ଫୁଲବାଣୀରେ ସୋମବାର ବିକ୍ଷୋଭ ଓ ଆନ୍ଦୋଳନ କରାଯାଇଛି। ଏହା ସହିତ ମୃତ ରିତେଶଙ୍କ ଆଖି ଓ କିଡ୍‌ନୀ ନ ଥିବାକୁ ଏହାର ସିବିଆଇ ତଦନ୍ତ ଦାବି କରାଯାଇଛି। ଅପରପକ୍ଷେ ତାଙ୍କ ବାପା ଦେବାନନ୍ଦ ଜଣେ ଦିନ ମଜୁରିଆ। ତାଙ୍କୁ ସରକାରୀ ନିୟମ ମୁତାବକ ସାହାଯ୍ୟ ପ୍ରଦାନ କରାଯିବାକୁ ସଂଘ ଦାବି କରିଛି। ଏହି ଆନ୍ଦୋଳନ ସମାଜସେବୀ ଓ ସଚେତନ ନାଗରିକ ମଞ୍ଚ, ନାରୀ ସୁରକ୍ଷା ମହିଳା ମହାସଂଘ, ନିଶା ଓ ଦୁର୍ନୀତିମୁକ୍ତ ଅଭିଯାନ ସମାଜ, କନ୍ଧମାଳ ବିକାଶ ସଂଗ୍ରାମ ସମିତି ଓ ଆଞ୍ଚଳିକ ହଳଦୀ ଚାଷୀ ମହାସଂଘ ଦାରଙ୍ଗିବାଡ଼ି ପକ୍ଷରୁ କରାଯାଇଛି। ସଂଘ କର୍ମକର୍ତ୍ତାମାନେ ଏକ ଶୋଭାଯାତ୍ରାରେ ମାଦିକୁନ୍ଦା ଛକରୁ ବାହାରି ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ପୂର୍ବରୁ ଗତ ୬ ତାରିଖରେ ଦାରିଙ୍ଗିବାଡ଼ିର ପର୍ତ୍ତମାହା ଠାକୁରାଣୀ ପଡ଼ିଆଠାରେ ପର୍ତ୍ତମାହା, ଗ୍ରୀନବାଡ଼ି, ଶ୍ରାନିକେତା, ତିଲୋରି ଓ ସିମନବାଡ଼ି ଅଞ୍ଚଳର ବିଭିନ୍ନ ଗ୍ରାମର ଜନସାଧାରଣଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଆନ୍ଦୋଳନର ନେତୃତ୍ୱ ଯୁବ ସମାଜସେବୀ ବୁଲୁ ଡ଼ିଗାଲ ନେଇଥିବା ବେଳେ ସରଶିଳା ପ୍ରଧାନ, ରଜେଶ୍ୱର ପ୍ରଧାନ, ଅନିତା ପ୍ରଧାନ, ନିମନ୍ତି ପ୍ରଧାନ, ପୂର୍ବତନ ସରପଞ୍ଚ ଜହନ ପ୍ରଧାନ, ରମେଶ ପ୍ରଧାନ, କାମିନି ନାୟକ ପ୍ରମୁଖ ସାମିଲ ଥିଲେ। ଶେଷରେ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା।

Share