Advertisement

ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆନନ୍ଦପୁର,୫।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ ରାଜେଶ ଦାଶ ଗୁରୁବାର ଏସ୍‌ଟି କେସ୍‌ ନଂ. ୭୬/୧୩୨/୧୭/୧୫, ଘସିପୁରା ଥାନା କେସ୍‌ ୬୯/୧୩.୪.୨୦୧୫ର ବିଚାର କରି ଅଭିଯୁକ୍ତ ପବିତ୍ର ଓରଫ ବିଶୁ ନାଇକକୁ ଉପଯୁକ୍ତ ପ୍ରମାଣ ଅଭାବରୁ ଖଲାସ କରିଥିବା ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପବିତ୍ର ଆନନ୍ଦପୁର ଥାନା ସୁନ୍ଦୁରିଆ ଗ୍ରାମର। ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରିବା ପାଇଁ ଓକିଲ ଯୋଗାଇ ନ ପାରିବାରୁ ଆନନ୍ଦପୁର ତାଲୁକ ଆଇନସେବା ସମିତି ଚଠି ନଂ ୧୦/୭.୦୧.୨୦୧୭ରେ ଆଇନଜୀବୀ ମାନସ ରଞ୍ଜନ ସାହୁ ମାମଲା ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା କରଞ୍ଜିଆ ପଟବିଲ ଅଞ୍ଚଳର ବାସନ୍ତୀ ସୁଳିଓ ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଆନନ୍ଦପୁର ଥାନା ସୁନ୍ଦୁରିଆ ଗ୍ରାମର ଚତୁଃର୍ଭୁଜ ନାଇକଙ୍କ ପୁଅ ପବିତ୍ର ତାଙ୍କ ଝିଅ ମୃତ ଭାନୁମତୀ ସୁଳିଓଙ୍କ ସହିତ ପ୍ରେମ ସମ୍ପର୍କ ରଖି ନିଜ ଘରେ ରଖିଥିଲେ। ୨୦ ଦିନ ପରେ ଝିଅ ଘର ଲୋକେ ଭାନୁମତି ପବିତ୍ରଙ୍କ ଘରେ ଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ପୁନର୍ବାର ଯୋଗାଯୋଗ କରିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ଫଳରେ ଏତଲାକାରୀ ବାସନ୍ତୀ, ପୁଅ ରାଜକିଶୋର, ଭିଣୋଇ ବୁଲୁ ନାଇକ ସୁନ୍ଦୁରିଆରେ ପହଞ୍ଚି ଝିଅକୁ ପାଇ ନ ଥିଲେ। ଘଟଣା ସମ୍ପର୍କରେ ପଚାରିବାରୁ ପବିତ୍ର ତାଙ୍କ ଝିଅକୁ ଘସିପୁରା ଥାନା କଲରାଗଡ଼ିଆ ମଉସା ଘରେ ରଖିଥିବା କହିଥିବାବେଳେ ପରେ ନିଜର ଦୋଷ ସ୍ବୀକାର କରି ଭାନୁମତୀଙ୍କୁ ମାରିଦେଇ ବାଲିରେ ପୋତି ଦେଇଥିବା କହିଥିଲେ। ଏନେଇ ମୃତ ଭାନୁମତୀଙ୍କ ମାଆ ବାସନ୍ତୀ ଝିଅକୁ ଅପହରଣ କରିବା ପରେ ମାରି ଦେଇଥିବା ଘସିପୁରା ଥାନାରେ ଅଭିଯୋଗ କରିଥିଲେ। ଘସିପୁରା ପୋଲିସ କେସ୍‌ ନଂ ୬୯/୧୫ରେ ଏକ ମାମଲା ରୁଜୁ କରି ୧୩.୪.୨୦୧୫ରେ ଅଭିଯୁକ୍ତ ପବିତ୍ରଙ୍କୁ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share