ହତ୍ୟା କରିବା ପରେ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ: ଅଭିଯୁକ୍ତଙ୍କ ମଧ୍ୟରୁ ୨ ଗିରଫ; ବ୍ୟବହୃତ ହାଇଓ୍ବା, କାର୍‌ ଜବତ

ଜମନକିରା, ୨।୮(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଘଟିଥିବା ବାଇକ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଶୁକ୍ରବାର ପୋଲିସ ପକ୍ଷରୁ ଡକାଯାଇଥିବା ଖବରଦାତା ସମ୍ମିଳନୀରେ କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର ପ୍ରକାଶ କରିଛନ୍ତି। ଏନେଇ ଜମନକିରା ଥାନା ୭୪/୧୭.୭୨୦୧୯ (୩୦୨)ରେ ମାମଲା ରୁଜୁ କରାଯାଇଛି। ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇଥିବା ପୋଲିସ କହିଛି।

ପୋଲିସର ସୂଚନା ଅନୁସାରେ, ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ପଞ୍ଚାୟତ କଦଳୀପାଳ ଗଁାର ଶ୍ୟାମସୁନ୍ଦର ସିଂ (୪୫) ବାଇକ ଓ ସାଇକେଲ ସଜାଡ଼ିବା କାମ କରି ପରିବାର ପ୍ରତିପୋଷଣ କରନ୍ତି। ଗତ ୧୪ ତାରିଖ ରାତିରେ ଖାଇପିଇ ଶୋଇଥିବା ବେଳେ ଜନୈକ ଅଜଣା ବ୍ୟକ୍ତି ବାଇକ ଖରାପ ଥିବା କହି ଶ୍ୟାମସୁନ୍ଦରକୁ ଘରୁ ଡାକିନେଇଥିଲେ। ତାଙ୍କୁ ନିଜ ବାଇକରେ ନେଇଯାଇଥିବା ବେଳେ ସେ ଆଉ ଫେରିନଥିଲା। ପରିବାରଲୋକେ ଖୋଜା ଖୋଜି କରିବା ପରେ ବଡ଼ରମା ଘାଟି ମଝିରେ ବାଇକ ସହ ରାସ୍ତାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ହେଲେ ପାରିପାଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ସନ୍ଦେହ କରି ତାଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶ୍ୟାମଙ୍କ ବେକରେ ରଶି ଚିହ୍ନ ଓ ଗୋଡ଼ ଆଣ୍ଠୁରେ ମାଟି ଲାଗି ରହିଥିଲା। ଦୁର୍ଘଟଣାସ୍ଥଳରୁ ଅନତି ଦୂରରୁ ରକ୍ତ ପଡ଼ିଥିବା ବେଳେ ବାଇକ୍‌ ଓ ମୃତଦେହର ସ୍ଥିତି ଦେଖି ଏହାକୁ ହତ୍ୟାର ରୂପ ଦିଆଯାଇଥିବା ପରିବାରଲୋକେ ସନ୍ଦେହ କରିଥିଲେ। ଏନେଇ ଶ୍ୟାମଙ୍କ ସ୍ତ୍ରୀ ସୁଚିିତାଦେବୀ ସିଂଙ୍କ ଥାନାରେ ଅଭିଯୋଗ କ୍ରମେ ପୋଲିସ ଗତ ୧୫ ତାରିଖ ଜୁଲାଇରୁ ଛାନଭିନ ଆରମ୍ଭ କରିଥିଲା।

Share