ହତ୍ୟା କରି ପୋତିଦେଲେ: ମାଟି ତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ତିହିଡ଼ି ପୋଲିସ

ତିହିଡ଼ି,୧୨।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ଅଧୀନ କୋହ୍ଲ ଗ୍ରାମରୁ ନିଖୋଜ ହୋଇଥିବା ଜଣେ ଯୁବକଙ୍କ ମୃତଦେହକୁ ଗୁରୁବାର ପୂର୍ବାହ୍ନରେ ତିହିଡି ପୋଲିସ ଉଦ୍ଧାର କରିଛି। ପିରହାଟ ଚାରିବାଟିଆ ରାସ୍ତାର ସାହାପୁର ଛକଠାରୁ କିଛିଦୂରରେ ଥିବା ଏକ ଜୋର ପାର୍ଶ୍ୱର ମାଟି ତଳୁ ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତ ଯୁବକଙ୍କ ନାଁ ପ୍ରସନ୍ନ ସାହୁ(୨୯)। ତାଙ୍କ ଘର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଇଛାପୁର ଗ୍ରାମରେ ହୋଇଥିଲେ ବି ସେ ତାଙ୍କ ମାମୁଁଘର କୋହ୍ଲ ଗ୍ରାମରେ ରହୁଥିଲେ। ଗତ ଜାନୁଆରୀ ୨୫ ତାରିଖରୁ ପ୍ରସନ୍ନ ନିଖୋଜ ହୋଇଯାଇଥିଲେ। ପ୍ରସନ୍ନଙ୍କ ମା’ ଏ ସମ୍ପର୍କରେ ତିହିଡି ଥାନାରେ ଗତମାସ ୨ ତାରିଖରେ ଅଭିଯୋଗ କରିଥିଲେ। ପ୍ରସନ୍ନଙ୍କ ମୃତଦେହ ଉଦ୍ଧାର ପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ ବୋଲି ଜଣାପଡ଼ୁଥିବା ପୋଲିସ କହିଛି।