Categories: ଗଞ୍ଜାମ

ହତ୍ୟା ଘଟଣାର ସାକ୍ଷୀଙ୍କୁ ଧମକ ଦେବା ମାମଲା:  ବିଧାୟକ ରମେଶ ଜେନାଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୫ା୧୦-ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ତଥା ଏମପି ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ଥିବା କୋର୍ଟର ଜଜ ନିରଞ୍ଜନ ଜେନା ବହୁଚର୍ଚ୍ଚିତ ଶାନ୍ତି ମିଶ୍ର ହତ୍ୟା ମାମଲାର ବିଚାର କରି ସାନଖେମୁଣ୍ଡି ବିଧାୟକଙ୍କ ସମେତ ୫ ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ସାକ୍ଷୀଙ୍କୁ ଧମକ ଦେଇଥିବା ମାମଲାର ପ୍ରମାଣ ମିଳି ନ ଥିବାରୁ ବିଧାୟକ ରମେଶ ଜେନା, ଆମୀ ପାଢ଼ୀ, ମୃତ୍ୟୁଞ୍ଜୟ ସାବତ, ଗଣେଶ ପାଣିଗ୍ରାହୀ ଓ କାଳୀପ୍ରସାଦ ସାହୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ୨୦୧୩ ଜାନୁୟାରୀରେ ଗୋଷାଣିନୂଆଗାଁ ଥାନାରେ ହାଜିରା ପକାଇ ଘରକୁ ଫେରୁଥିବା ବେଳେ ଜଣେ ଶାନ୍ତି ମିଶ୍ରଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାର ବିଚାର କୋର୍ଟରେ ଚାଲିଥିବା ବେଳେ ସାକ୍ଷୀ ଥିବା ବିଟୁ ପାତ୍ରଙ୍କୁ ୨୦୧୬ ଜୁଲାଇ ୧୯ ତାରିଖରେ ରମେଶ ଜେନାଙ୍କ ପ୍ରରୋଚନାରେ ତାଙ୍କ ସହଯୋଗୀମାନେ କୋର୍ଟରେ ସାକ୍ଷୀ ନ ଦେବାକୁ ଧମକ ଦେଇଥିଲେ। ସେହି ସମୟରେ ବିଧାୟକ ଅନ୍ୟ ମାମଲାରେ ଗିରଫ ହୋଇ ପୂର୍ବରୁ ଜେଲରେ ଥିଲେ। ଉକ୍ତ ହତ୍ୟା ମାମଲାର ସାକ୍ଷୀ ବିଟୁ ଗୋଷାଣିନୁଆଗାଁ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ନଂ.୫୧/୧୬ରେ ଏକ ମାମଲା ରୁଜୁ କରି ରମେଶ ଜେନାଙ୍କ ନାମରେ କୋର୍ଟରେ ରିମାଣ୍ଡ ରିପୋର୍ଟ ଦେଇଥିଲା। ପରେ ତଦନ୍ତକାରୀ ଅଧିକାରୀ ଏହି ମାମଲାର ଚାର୍ଜସିଟ କୋର୍ଟରେ ଦାଖଲ କରିଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି ବେଳେ ୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏଡିଜେ-୩ ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଅଭିରାମ ସାହୁ ଓ ମୁଦଲାଙ୍କ ପକ୍ଷରୁ କିଶୋର ବିଷୋୟୀ, ନିର୍ମଳ ସାହୁ, ପୀତବାସ ପଣ୍ଡା, ବିରଞ୍ଚି ମହାପାତ୍ର ମକଦ୍ଦମା ପରିଚାଳନା କରିଥିଲେ।