Categories: ଜାତୀୟ

ହନିଟ୍ରାପ୍‌ ଜାଲରେ ମଧ୍ୟପ୍ରଦେଶର ପୂର୍ବତନ ଏମ୍‌ପି

ଭୋପାଳ,୩୦।୯: ଦେଶର ସବୁଠୁ ବଡ଼ ହାଇପ୍ରୋଫାଇଲ ହନିଟ୍ରାପ୍‌ ମାମଲାର ଏସ୍‌ଆଇଟି ତଦନ୍ତ ଚାଲୁଛି। ଇତି ମଧ୍ୟରେ ମଧ୍ୟପ୍ରଦେଶର ଜଣେ ପୂର୍ବତନ ଏମ୍‌ପିଙ୍କ ଅଶ୍ଲୀଳ ସିଡୀକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହା ଏବେ ମଧ୍ୟପ୍ରଦେଶ ରାଜନୀତିକୁ ଆହୁରି ସରଗରମ କରିଛି। ସୂଚନାଯୋଗ୍ୟ, ପୂର୍ବତନ ଏମ୍‌ପିଙ୍କ ଗୋଟିଏ କି ଦୁଇଟି ନୁହେଁ ୩୦ଟି ସିଡୀ ତିଆରି ହୋଇଥିବା ଜଣାପଡ଼ିଛି। ଏହି ସିଡୀ ଜରିଆରେ ଅଭିଯୁକ୍ତ ମହିଳା ବାରମ୍ବାର ତାଙ୍କୁ ବ୍ଲାକ୍‌ମେଲ୍‌ କରି କୋଟି କୋଟି ଟଙ୍କା ହାତଉଥିଲେ। ଖାଲି ସେତିକି ନୁହେଁ, ଏଥିପାଇଁ ନେତା ଜଣଙ୍କ ଆତ୍ମହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିସାରିଛନ୍ତି ବୋଲି ଯାଞ୍ଚ ସମୟରେ ଜଣାପଡ଼ିଛି। ଏକ ରାଜନୈତିକ ଦଳର ଜଣେ ବଡ଼ ନେତାଙ୍କ ଜରିଆରେ ଭୋପାଳର ଏହି ଅଭିଯୁକ୍ତ ମହିଳାଙ୍କ ସହ ପୂର୍ବତନ ଏମ୍‌ପିଙ୍କର ପରିଚୟ ହୋଇଥିଲା। ଏହାପରେ ଏନ୍‌ଜିଓ କାମରେ ଦୁଇଜଣଙ୍କର ବହୁଥର ଦେଖା ହୋଇଥିଲା। ସେହି ସମୟରେ ଉକ୍ତ ମହିଳାଙ୍କ ଜାଲରେ ସେ ଫସିଯାଇଥିଲେ। ଏହାପରେ ୩୦ଟି ସିଡୀ କରି ମହିଳା ଜଣଙ୍କ ବ୍ଲାକ୍‌ମେଲ୍‌ କରିବାରୁ ନେତା ତାଙ୍କୁ ୨କୋଟି ଟଙ୍କା ଦେଇଥିଲେ। ଏଥିସହ ଲୋକ ସଭା ନିର୍ବାଚନ ପୂର୍ବରୁ ଟିକେଟ କଟିଯିବା ଭୟରେ ସେ ମହିଳାଙ୍କୁ ଟୁର୍‌ରେ ଦୁବାଇ ପଠାଇ ଦେଇଥିଲେ। ହେଲେ ହନିଟ୍ରାପ୍‌ରେ ଫସିଥିବାରୁ ତାଙ୍କୁ ଟିକେଟ ଦିଆଯାଇ ନ ଥିଲା।

Share