Categories: ଖେଳ

ହରମିଲାନଙ୍କୁ ଡବଲ୍‌ ଗୋଲ୍ଡ

ଭୁବନେଶ୍ୱର,୧ା୩ (ସ୍ପୋର୍ଟ୍ସ ବ୍ୟୁରୋ)- ପଞ୍ଜାବୀ ବିଶ୍ୱବିଦ୍ୟାଳୟର ଲଙ୍ଗ ଡିଷ୍ଟାନ୍ସ ମହିଳା ରନର ହରମିଲାନ ବେନ୍ସ ଶନିବାର ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୮୦୦ ମିଟର ଦୌଡ଼ରେ ୨:୦୬.୪୦ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେହିପରି ସାବିତ୍ରୀ ବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟର ଲଡକାର ଯମୁନା ୨: ୦୬.୮୦ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ ଭାରତୀୟାର ବିଶ୍ୱବିଦ୍ୟାଳୟର ଗୋଥାମୀ ୨:୦୭.୦୮ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।
ଶୁକ୍ରବାର ହରମିଲାନ ୧୫୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବାରୁ ଏହା ମୋ ପାଇଁ ଏକ ସ୍ବତନ୍ତ୍ର ସଫଳତା ସାବ୍ୟସ୍ତ ହୋଇଛି ବୋଲି ସେ କହିଛନ୍ତି। ଏକ କ୍ରୀଡ଼ାବିତ୍‌ ପରିବାରରୁ ହରମିଲାନଙ୍କ ଆସିଛନ୍ତି। ତାଙ୍କ ମାତାପିତା ମଧ୍ୟ କ୍ରୀଡ଼ାବିତ ରହି ଆସିଛନ୍ତି। ପିତା ଅମନଦୀପ ବେନ୍ସ ୧୫୦୦ମି. ଆଥ୍‌ଲେଟ ଥିଲେ। ସେ ସାଫ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ମା ମାଧୁରୀ ସିଂ ବେନ୍ସ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ପଟିଆଲାର ଏହି ୨୧ ବର୍ଷୀୟା ମହିଳା ଧାବିକା ନିଜ ପ୍ରଦର୍ଶନରେ ବେଶ୍‌ ସନ୍ତୋଷ ପ୍ରକଟ କରିଛନ୍ତି। ୨ଟି ସ୍ବର୍ଣ୍ଣ ଜିତିଥିବାରୁ ପଞ୍ଜାବରୁ ବହୁତ ଫୋନ୍‌ କଲ ଆସୁଛି। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଅଭିଜ୍ଞତା ବେଶ୍‌ ସୁନ୍ଦର ରହିଛି। ୮୦୦ ମି. ଦୌଡ଼ ବହୁତ କଷ୍ଟକର ଥିଲା। ବ୍ୟକ୍ତିଗତ ଭାବେ ଏହା ମୋର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଦୁଇଟି ସ୍ବର୍ଣ୍ଣ ଜିତିବି ବୋଲି ଭାବି ନ ଥିଲି। ଆଗକୁ ଆନ୍ତଃ ରାଜ୍ୟ କ୍ରୀଡ଼ାରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଅଲିମ୍ପିକ ପଦକ ଜିତିବା ମୋର ସବୁଠାରୁ ବଡ଼ ଲକ୍ଷ୍ୟ ରହିଛି। ମାତାପିତା ଓ କୋଚ୍‌ଙ୍କ ମଧ୍ୟ ଏହି ଅଭିଳାଷ ରହିଛି।

Share