Categories: ଜାତୀୟ

ହରିଣର ଜୀବନ ରକ୍ଷା ପାଇଁ ନଦୀକୁ ଡେଇଁଲେ ଯବାନ

ନୂଆଦିଲ୍ଲୀ,୭ା୬: ନଦୀକୁ ଡେଇଁ ଏକ ଗର୍ଭବତୀ ହରିଣର ଜୀବନ ରକ୍ଷା କରିଛନ୍ତି ଭାରତୀୟ ଯବାନ। ଘଟଣା ଘଟିଛି ଅରୁଣାଚଳ ପ୍ରଦେଶରେ। ଇଷ୍ଟର୍ନ କମାଣ୍ଡ ପକ୍ଷରୁ ନିଜ ଟୁଇଟର ପେଜ୍‌ରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଜୁନ୍‌ ୨ରେ ସେନାର ଏକ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ଜାଇଡିଙ୍ଗ ଖୋ ନଦୀରେ ବିରଳ ବାର୍କିଙ୍ଗ ପ୍ରଜାତିର ଏକ ଗର୍ଭବତୀ ହରିଣ ବୁଡ଼ିଯାଉଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଯବାନମାନେ ନଦୀକୁ ଡେଇଁ ହରିଣଟିକୁ ଉଦ୍ଧାର କରିଥିଲେ। ଏହାପରେ ସେମାନେ ବନ ବିଭାଗ ସହାୟତାରେ ପ୍ରାଥମିକ ଚିକିତ୍ସା କରି ଇଗଲ୍ସ ନେଷ୍ଟ ଓ୍ବାଇଲ୍ଡଲାଇଫ୍‌ ଅଭୟାରଣ୍ୟରେ ତାହାକୁ ଛାଡ଼ି ଦେଇଥିଲେ। ଏହି ପ୍ରଜାତିର ହରିଣ ଶିକାରୀଙ୍କୁ ଦେଖିବା ମାତ୍ରେ କୁକୁର ଭୁକିବା ପରି ଶବ୍ଦ କରିପାରନ୍ତି। ସେଥିପାଇଁ ଏହାର ନାମ ବାର୍କିଙ୍ଗ ରଖାଯାଇଛି। ତେବେ ଏହି ପ୍ରଜାତି ଏବେ ଲୁପ୍ତପ୍ରାୟ ଅବସ୍ଥାକୁ ଆସିଯାଇଥିବା ଇଷ୍ଟର୍ନକମାଣ୍ଡ ଟୁଇଟରରେ ଦର୍ଶାଯାଇଛି।

Share