ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ବୃତ୍ତିଗତ ଦିଗକୁ ଦେଖାଯାଉ ନ ଥିବା ଅଭିଯୋଗ ଆଣିଲା ଭାଜପା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ପରିବାରଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି କହୁଛନ୍ତି। ଏହି କ୍ରମରେ ଭାଜପା ବୁଧବାର ଖବରଦାତା ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ସ୍ମିତା ଭତ୍ତା ଟଙ୍କା ବାଣ୍ଟିବା ପାଇଁ ଯାଇଥିଲେ। କାର୍ଯ୍ୟରେ ଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ଏସ୍‌ପି ତାଙ୍କର ବ୍ୟକ୍ତିଗତ ଦିଗକୁ ତଦନ୍ତ ପରିସରକୁ ନେଇଥିବା ବେଳେ ବୃତ୍ତିଗତ ଦିଗକୁ ଦେଖିନାହାନ୍ତି ବୋଲି ଭାଜପା ପ୍ରଶ୍ନ ଉଠାଇଛି। ମଙ୍ଗଳବାର ସ୍ମିତାଙ୍କ ସ୍ବାମୀ ସୁଶୀଲ ଚାକିରିକୁ ନେଇ ସେ ମାନସିକ ଚାପରେ ଥିଲେ ବୋଲି କହିଥିଲେ। ଏପରିକି ଆବାସ ଯୋଜନା, ଭତ୍ତା ହିତାଧିକାରୀ ଚୟନକୁ ନେଇ ସ୍ମିତାଙ୍କ ଉପରେ ଚାପ ରହିଥିଲା। ଏପରିସ୍ଥଳେ ସରକାର ସମ୍ପୂର୍ଣ୍ଣ ଭାବେ ନିରବ ରହିଛନ୍ତି ବୋଲି ଭାଜପା ପକ୍ଷରୁ କଟାକ୍ଷ କରାଯାଇଛି। ଏସ୍‌ପିଙ୍କ ମୋବାଇଲ କଲ୍‌ ରେକର୍ଡ ଯାଞ୍ଚ କରାଯିବା ସହ ଡିଜି ୭ ଦିନ ମଧ୍ୟରେ କାହା କାହା ସହ କଥା ହୋଇଛନ୍ତି ସ୍ପଷ୍ଟ କରନ୍ତୁ ବୋଲି ଖବରଦାତା ସମ୍ମିଳନୀରେ ଭାଜପା ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି।

ଅପରପକ୍ଷେ ବିଜେଡି ପକ୍ଷରୁ ଏହାର ଜବାବ ରଖାଯାଇଛି। ବିଜେଡି ନେତା ସମୀର ଦାସ କହିଛନ୍ତି, ଆଇନ ତା’ ବାଟରେ କାମ କରୁଛି। ଏହି ଘଟଣାକୁ ରାଜନୀତିକରଣ କରିବା ଉଚିତ୍‌ ନୁହେଁ। କିଭଳି ସ୍ମିତାରାଣୀଙ୍କୁ ନ୍ୟାୟ ମିଳିବ ସେଥିପାଇଁ ତଥ୍ୟ ଥିଲେ ଉପସ୍ଥାପନ କରାଯାଉ। ଏହାକୁ ତଦନ୍ତକାରୀ ସଂସ୍ଥା ଗ୍ରହଣ କରିବେ ବୋଲି ସେ କହିଛନ୍ତି।

Share