ହରିପୁର ଘାଟରୁ ବେଆଇନ ବାଲି ଚାଲାଣ

ବାରିପଦା ଅଫିସ,୩୧ା୧- ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ପ୍ରତାପପୁର ପଞ୍ଚାୟତର ବୁଢ଼ାବଳଙ୍ଗ ନଦୀର ହରିପୁର ବାଲିଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଛି। ସ୍ଥାନୀୟ ଲୋକେ ତହସିଲ କର୍ତ୍ତୃପକ୍ଷଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ବେପାରୀମାନେ ସହଜରେ ବାଲି ଚୋରା ଚାଲାଣ କରୁଛନ୍ତି। ଏହି ଘାଟରୁ ବାଲି ଉଠାଇ ଖାନୁଆ ଗ୍ରାମ ମଧ୍ୟ ଦେଇ ଚାଲାଣ କରାଯାଉଛି। ପ୍ରତିଦିନ ଭୋର ସମୟରେ ଏଠାରୁ ବାଲି ଉଠାଇ ବେପାରୀମାନେ ଚାଲାଣ କରୁଛନ୍ତି। ଖାନୁଆ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ ମଧ୍ୟ ବେପାରୀମାନେ ସେମାନଙ୍କୁ ଧମକ ଚମକ ଦେଉଥିବା ଜଣେ ଗ୍ରାମବାସୀ କହିଛନ୍ତି। ଏଠାରୁ ପ୍ରତି ଦିନ ଶହ ଶହ ଟ୍ରାକ୍ଟର, ଡମ୍ପର ଓ ବିଭିନ୍ନ ଗାଡ଼ିରେ ବାଲି ଚାଲାଣ ହେଉଛି। ଏ ନେଇ ଖାନୁଆ ରାଜସ୍ବ ନିରୀକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସଙ୍କୁ ପଚାରିବାରୁ ସେ ବାଲି ଚାଲାଣ ଅଭିଯୋଗକୁ ଏଡାଇ ଯାଇ କୌଣସି ମତାମତ ଦେଇ ନ ଥିଲେ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।