ହରିବୋଲ କ୍ଷେତ୍ରକୁ ବାହୁଡ଼ିଲେ ତିନିଠାକୁର

ତିହିଡ଼ି, ୧୨।୭ (ଡି.ଏନ.ଏ.): ପବିତ୍ର ବାହୁଡ଼ାଯାତ୍ରାରେ ଶୁକ୍ରବାର ଶ୍ରୀଗୁଣ୍ଡିଚା ମନ୍ଦିରରୁ ହରିବୋଲ କ୍ଷେତ୍ରକୁ ତିନିଠାକୁର ବାହୁଡ଼ିଛନ୍ତି। ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତ ମୋଡ଼ସାହିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରୁ ମହାବାହୁ କେଶପୁରସ୍ଥିତ ହରିବୋଲ କ୍ଷେତ୍ରକୁ ଫେରି଼ଛନ୍ତି। ଭାଇଭଉଣୀଙ୍କ ସହ ୯ ଦିନ ମାଉସୀଘରେ ରହିବା ପରେ ୩ ଠାକୁର ବାହୁଡ଼ିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ପରିସର ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା।
ଶୁକ୍ରବାର ଭୋର ୪ଟା ବେଳେ ମାଉସୀମା ମନ୍ଦିରର ଦ୍ୱାରଫିଟା ଓ ମନ୍ଦିର ଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୫ଟାରେ ମଙ୍ଗଳ ଆଳତି ପରେ ସୂର୍ଯ୍ୟପୂଜା ଓ ୬ଟାରେ ସକାଳ ବେଶ ପରେ ଗୋପାଳ ବଲ୍ଲଭବେଶ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ମଙ୍ଗଳାର୍ପଣ ଏବଂ ପ୍ରସାଦ ସେବନ କରାଯାଇଥିଲା। ସାଢ଼େ ୧୧ଟା ବେଳେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଏବଂ ଜଗନ୍ନାଥଙ୍କ ପହଣ୍ଡି କରାଯାଇଥିଲା। ପଣ୍ଡିତ କୁଳମଣି ଉଦ୍‌ଗାତା, ଦେବେନ୍ଦ୍ର ଉଦ୍‌ଗାତା, କଳ୍ପତରୁ ଉଦ୍‌ଗାତା, ସମରେନ୍ଦ୍ର ଉଦ୍‌ଗାତା, ପ୍ରୀତିରଞ୍ଜନ ଉଦ୍‌ଗାତା, ସତ୍ୟବ୍ରତ ମିଶ୍ର, ସତ୍ୟାନନ୍ଦ ତ୍ରିପାଠୀ ପ୍ରମୁଖ ସେବାୟତ ପହଣ୍ଡି ସହ ତିନିଠାକୁରଙ୍କର ନୀତି ସମାପନ କରିଥିଲେ। ପରେ ଜିଲାପାଳ ଜ୍ଞାନ ଦାସ ତିନି ରଥରେ ଛେରାପହଁରା କରିଥିଲେ। ମଧ୍ୟାହ୍ନ ୧ଟା ବେଳେ ରଥଟଣା ହୋଇଥିଲା। ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଶ୍ରୀଗୁଣ୍ଡିଚା ପରିଚାଳନା କମିଟି ସଭାପତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ସମ୍ପାଦକ ରବିନାରାୟଣ ସାମଲ, ଦୋଳଗୋବିନ୍ଦ ପୃଷ୍ଟି, ଭରତ ଚନ୍ଦ୍ର ସାହୁ, ସନାତନ ଜେନା, ପ୍ରକାଶ ଖୁଣ୍ଟିଆ, ଅତୁଲ୍ୟ ବେହେରା, ରାଜକିଶୋର ସାହୁ, ରମେଶ ଚନ୍ଦ୍ର ନାୟକ, ଦୀପ୍ତିକାନ୍ତ ଖୁଣ୍ଟିଆ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଭାପତି ନଗେନ୍ଦ୍ର ପ୍ରସାଦ ଦାସ, ସମ୍ପାଦକ ଶ୍ରୀଧର ପୁହାଣ, ଚନ୍ଦ୍ରକାନ୍ତ ବେହେରା, ସନ୍ତୋଷ କୁମାର ନାୟକ ପ୍ରମୁଖ ବାହୁଡ଼ା ଯାତ୍ରା ପରିଚାଳନା କରିଥିଲେ। ଏହି ଅବସରରେ ସାମାଜିକ ସଙ୍ଗଠନ ‘ଚେନାଏ ହସ’ ପକ୍ଷରୁ ଭକ୍ତମାନଙ୍କ ପାଇଁ ଟଙ୍କତୋରାଣି ବ୍ୟବସ୍ଥା କରାଯାଇଥିଲା।

Share