ହରିଲୁଟ୍‌ ଚାଲିଛି ମାଙ୍କଡ଼ା ପଥର: ଖବରଦାତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଲେ ପଥର ମାଫିଆ

ଖୋର୍ଦ୍ଧା ଅଫିସ,୧୦।୫: ଖୋର୍ଦ୍ଧା ତହସିଲ ଟାଉନ(ଆଦର୍ଶ) ଥାନା ଅନ୍ତର୍ଗତ ହଳଦିପଦା ଗ୍ରାମ ନିକଟରେ ଥିବା ସରକାରୀ ଜମିରୁ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଛି। ପ୍ରଶାସନ ଚୁପ୍‌ ବସିଥିବାବେଳେ କେତେଜଣ ଅସାଧୁ କର୍ମଚାରୀ ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଦୈନିକ ଶହ ଶହ ଟ୍ରକ ଓ ଟ୍ରାକ୍ଟରରେ ଜିଲା ଓ ଜିଲା ବାହାରକୁ ମାଙ୍କଡା ପଥର ଚାଲାଣ କରାଯାଉଛି। ଶନିବାର ଅପରାହ୍ନରେ ମାଙ୍କଡ଼ା ପଥର ଚାଲାଣ ହେଉଥିବା ବେଳେ ଏକ ଓ୍ବେବ ଚାନେଲର ଖବରଦାତା ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ମାଫିଆମାନେ ଖବରଦାତାଙ୍କୁ ଘେରିଯିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ। ଏ ସମ୍ବନ୍ଧିତ ଖବର ପ୍ରକାଶ କଲେ ପରିବାର ସହ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକାଇଥିବା ଜଣାପଡିଛି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଜେସିବି ମେଶିନ ସାହାର୍ଯ୍ୟରେ ଟ୍ରାକ୍ଟର, ଟ୍ରକ ବୋଝେଇ ମାଙ୍କଡା ପଥର ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି। ଏ ନେଇ ଟାଉନ ଥାନା ଅଧିକାରୀ ଉମାଶଙ୍କର ସିଂ କୁହନ୍ତି, ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ। ଅଭିଯୋଗ ଆସିଲେ, କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପଟେ ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ସଂଘ(ଓୟୁଡବ୍ଳ୍ୟୁଜେ) କର୍ମକର୍ତ୍ତା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଖବରଦାତାମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଏସ୍‌ପି ସ୍ବାଇଁ କହିଛନ୍ତି, ଏ ସମ୍ପର୍କରେ ଥାନାରେ ଅଭିଯୋଗ କରନ୍ତୁ। ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।