Advertisement

ହରିଶଙ୍କରରେ ଭୋକିଲା ମାଙ୍କଡଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଖପ୍ରାଖୋଲ, ୨୯ା୩(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ମନ୍ଦିର ଗତ ୮ଦିନ ହେଲା ବନ୍ଦ ରହିଥିବାବେଳେ କେବଳ ପୂଜକ ନୀତି ପୂଜା କରୁଛନ୍ତି। ତେବେ ଏଠାରେ ହଜାର ହଜାର ମାଙ୍କଡ ରହୁଥିବାବେଳେ ପର୍ଯ୍ୟଟକଙ୍କଠାରୁ ମୁଆଁ, ବିସ୍କୁଟ୍‌, ବାଦାମ, ମୁଢି, ଫଳମୂଳ ଖାଇବା ସହ ବଣଭୋଜିର ବଳକା ଖାଦ୍ୟ ଓ ଭୋଗର ବଳକା ଖାଇ ରହିଥାନ୍ତି। ହେଲେ ଗତ ୮ ଦିନ ହେଲା ସବୁ ବନ୍ଦ ପରେ ମାଙ୍କଡମାନେ ଭୋକିଲା ହୋଇ ଗଛ ଡାଳପତ୍ର ଖାଇବା ସହ ନିକଟ ଗାଁ ମୁହାଁ ହେଉଥିଲେ । ଏହାକୁ ଦେଖି ସ୍ଥାନୀୟ ପୋଲିସ୍‌, ମନ୍ଦିର ପ୍ରଶାସନ, ପଞ୍ଚାୟତ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଦୋକାନୀ ସଂଘର ମିଳିତ ଉଦ୍ୟମରେ ଭୋକିଲା ମାଙ୍କଡଙ୍କୁ ରବିବାର ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ ପତି, ହରିଶଙ୍କର ଫାଣ୍ଡି ଅଧିକାରୀ ସେବନ କେର୍କେଟା, ମନ୍ଦିର ସହପରିଚାଳକ ବିପିନ ପଟେଲ, ସବ କମିଟି ସଭାପତି ବିପ୍ର ବିଶି, ଅଭୟ ତ୍ରିପାଠୀ, ସ୍ଥାନୀୟ ଦୋକାନୀ ସଂଘ ସଦସ୍ୟ ସାଧୁ ଦେ, ନାରାୟଣ ମେହେର, ମୁନିରାମ ମଲ୍ଲିକ, ବୁଦ୍ଧିଆ ଦେ ପ୍ରମୁଖ ଉପସ୍ଥିତ ଥିଲେ ା ଲକ ଡାଉନ ଶେଷ ଯାଏ ମାଙ୍କଡଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି ଆୟୋଜକ ସଞ୍ଜୀବ ସାହୁ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share