ହରିଶଙ୍କରରେ ମାଓବାଦୀଙ୍କ ବ୍ୟାନର

ଖପ୍ରାଖୋଲ ୧୪।୬ (ଡି.ଏନ.ଏ.) : କିଛିଦିନର ନିରବତା ପରେ ପୁଣି ମାଓବାଦୀମାନେ ବଲାଙ୍ଗୀର ଜିଲା ଖପ୍ରାଖୋଲ ଅଞ୍ଚଳରେ ନିଜ ଉପସ୍ଥିତି ଜାହିର କରିଛନ୍ତି। ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ଶୁକ୍ରବାର ମାଓବାଦୀମାନେ ବ୍ୟାନର ଲଗାଇ ଜନଆନ୍ଦୋଳନ ଉପରେ ଫାସୀବାଦି ଦମନକୁ ବିରୋଧ କରିବାକୁ ଆହ୍ବାନ ଦେବା ସହ ଅନ୍ୟ ଏକ ବ୍ୟାନରରେ ପୋଲିସକୁ କଡ଼ା ଚେତାବନୀ ଦେଇଛନ୍ତି ା ଗୁରୁବାର ବିଳମ୍ବିତ ରାତିରେ ଏହି ବ୍ୟାନର ଲାଗିଥିବା ଜଣାପଡିଛି। ଶୁକ୍ରବାର ସକାଳେ ଖପ୍ରାଖୋଲ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେହି ବ୍ୟାନର ଜବତ କରିଛି। ହରିଶଙ୍କର ମନ୍ଦିର ତଳି ଏକ ଦୋକାନରେ ଗୋଟିଏ ବ୍ୟାନର ଲଗାଯାଇଥିବା ବେଳେ ଅନ୍ୟଟି ଡିଅର ପାର୍କ ପାଖରେ ଲଗାଯାଇଥିଲା। ଲାଲା କପଡ଼ା ଉପରେ ଧଳା ହିନ୍ଦୀ ଅକ୍ଷରରେ ଏହି ବ୍ୟାନର ଲେଖାଯାଇଥିଲା। ତଳେ ବିବିଏମ୍‌ ଡିଭିଜନାଲ କମିଟି ଭା.କ.ପା.(ମାଓବାଦୀ) ଲେଖା ରହିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଛି ା ହରିଶଙ୍କରଠାରେ ଅବସ୍ଥାପିତ ସିଆରପିଏଫ୍‌ କ୍ୟାମ୍ପର ଅନତି ଦୂରରେ ଏଭଳି ବ୍ୟାନର ପୋଷ୍ଟର ଲାଗିବା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏପ୍ରିଲ ୧୧ ତାରିଖରେ ହରିଶଙ୍କରଠାରେ ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ଲଗାଇଥିଲା। ଏ ନେଇ ଖପ୍ରାଖୋଲ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରୁ ପୋଲିସ ମାଓବାଦୀ ବ୍ୟାନର ଜବତ କରିଛି। ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି କହିଛନ୍ତି ।