ହରିହର କ୍ୟାନସର ହସ୍ପିଟାଲରେ ଚିତ୍ରଶିଳ୍ପୀ ନାରୁ ମହାରଣା: ରାଜ୍ୟ ସରକାର ଦେଲେ ୫୦ ହଜାର ସହାୟତା

ପୁରୀ ଅଫିସ, ୧୩।୧୨:ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ନାରାୟଣ ମହାରଣା ଓରଫ ନାରୁ କର୍କଟ ରୋଗରେ ପୀଡ଼ିିତ ହୋଇ କଟକସ୍ଥିତ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନାରୁ ଆର୍ଥତ୍କ ଅନାଟନ ମଧ୍ୟରେ ଚିକିତ୍ସାଳୟ ଶଯ୍ୟାରେ ପଡ଼ିି ଛଟପଟ ହେଉଥିବା ନେଇ ଅକ୍ଟୋବର ୨୨ତାରିଖରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲାପାଳଙ୍କ ସମେତ ଜିଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଏବଂ ଜିଲା ସଂସ୍କୃତି କାର୍ଯ୍ୟାଳୟକୁ ଅବଗତ କରାଯାଇଥିଲା। ଏହାର ମାସକ ପରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନାରାୟଣଙ୍କ ଚିକିତ୍ସା ଲାଗି କଳାକାର କଲ୍ୟାଣ ପାଣ୍ଠିରୁ ୫୦ ହଜାର ଟଙ୍କାର ଆର୍ଥତ୍କ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର କହିଛନ୍ତି, ଧରିତ୍ରୀରୁ ତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲି। ୨୦୧୭ରେ ନାରାୟଣଙ୍କ ନାମ ପଦ୍ମଶ୍ରୀ ଲାଗି ସୁପାରିଶ ହୋଇଥିବା ଜାଣିବା ପରେ ସହାୟତା ପ୍ରଦାନ ଲାଗି ଜିଲା ପ୍ରଶାସନ ଏବଂ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଅନୁରୋଧ କରାଯାଇଥିଲା। ନାରାୟଣଙ୍କ ପରିବାରବର୍ଗ ଏଥିପାଇଁ ପ୍ରାଧିକରଣ ସଚିବ ମହାପାତ୍ରଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି।
କାଠ ଖୋଦେଇ, ପଟ୍ଟଚିତ୍ର, ଶ୍ରୀକ୍ଷେତ୍ରର ପାରମ୍ପରିକ ଗୋଷାଣୀ ଓ ନାଗା ମୂର୍ତ୍ତି ଗଠନରେ ନାରାୟଣଙ୍କ ସୁଖ୍ୟାତି ରହିଛି। ପଟ୍ଟଚିତ୍ର ଲାଗି ୨୦୦୩ରେ ବୟନ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ସେ କଳାମଣି ସମ୍ମାନ, ରାଜ୍ୟ ଡିଜାଇନ ଆୱାର୍ଡ, ଲଳିତ କଳା ଏକାଡେମୀ ସମ୍ମାନ, ଜଗନ୍ନାଥ ମହାପାତ୍ର ଶିଳ୍ପୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Share