ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚର ପାଣି : ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି,୪।୯(ଡି.ଏନ୍‌.ଏ.) : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଅନେକ ଚାଷଜମି ଜଳମଗ୍ନ ହେବା ସହ କେତେକ ମାଟିଘର ମଧ୍ୟ ଭାଙ୍ଗିପଡ଼ିଛି। ଜିଲାର ହରିହର ଯୋର ଜଳସେଚନ ପ୍ରକଳ୍ପରେ ଆବଶ୍ୟକତାଠାରୁ ଅଧିକ ପାଣି ହୋଇଯିବାରୁ ଗତ ରାତିରେ ୫ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଥିଲା। ପରେ ତଳମୁଣ୍ଡରେ ପରିସ୍ଥିତି ଅଣାୟତ୍ତ ହେବାରୁ ୪ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ଗୋଟିଏ ମାତ୍ର ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ବୀରମହାରାଜପୁର-ଅମରପାଲି ରାସ୍ତାର ମୁର୍ଷୁଣ୍ଡିଠାରେ ହରିହର ଯୋର ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ସେହିପରି ଉକ୍ତ ରାସ୍ତାର ମେଣ୍ଢିଲିପାଲି ନିକଟରେ ଥିବା ଘୁଙ୍ଗିନାଳ ଉପରେ ୫ ଫୁଟ ଉଚ୍ଚର ପାଣି ଚାଲିଛି। ଫଳରେ ବୀରମହାରାଜପୁର-ଅମରପାଲି – ଚାରମାଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

Share