Categories: ଖେଳ

ହରିୟାଣା ଝିଅ ଶାମିଆଙ୍କୁ ବିବାହ କରିବେ ପାକିସ୍ତାନ କ୍ରିକେଟର ହାସାନ

କରାଚି, ୩୧।୭ (ପି.ଟି.)- ପାକିସ୍ତାନ ଦ୍ରୁତ ବୋଲର ହାସାନ ଅଲି ଜଣେ ଭାରତୀୟ ଝିଅଙ୍କୁ ବିବାହ କରିବେ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ଯୁବତୀ ଜଣଙ୍କ ହେଉଛନ୍ତି ହରିୟାଣା ମଓ୍ବୋତ୍‌ ଜିଲାର ଶାମିଆ ଆର୍‌ଜୋ। ରିପୋର୍ଟ ମୁତାବକ, ଅଗଷ୍ଟ ୨୦ରେ ଦୁବାଇସ୍ଥିତ ଆଟ୍‌ଲାଣ୍ଟିଆ ପ୍ଲାମ ହୋଟେଲରେ ଶାମିଆଙ୍କ ସହ ହାସାନ ବିବାହ ବନ୍ଧନରେ ଆବଦ୍ଧ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜିଓ ନ୍ୟୁଜ୍‌ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଶାମିଆଙ୍କ ବାପା ଲିଆକତ୍‌ ଅଲି, ଭାଇ ଆକବର୍‌, ମା’ ରାହିଶାଙ୍କ ସମେତ ପରିବାରର ୧୦ଜଣ ସଦସ୍ୟ ଏହି ବିବାହ ଉତ୍ସବରେ ଯୋଗଦେବା ପାଇଁ ଅଗଷ୍ଟ ୧୭ରେ ଦୁବାଇ ଗସ୍ତ କରିବେ ବୋଲି ଜଣାପଡ଼ିଛି। ହରିୟାଣାସ୍ଥିତ ମାନବ ରଚନା ବିଶ୍ୱବିଦ୍ୟାଳୟରୁ ଶାମିଆ ବି. ଟେକ୍‌ (ଏରୋନଟିକାଲ୍‌) ଡିଗ୍ରୀ ହାସଲ କରି ଜେଟ୍‌ ଏୟାରଓ୍ବେଜ୍‌ରେ ଚାକିରି କରିଥିଲେ। କିନ୍ତୁ ବର୍ତ୍ତମାନ ସେ ଏମିରେଟ୍ସ ଏୟାରଲାଇନ୍ସରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଏବଂ ଦୁବାଇରେ ଅବସ୍ଥାନ କରୁଛନ୍ତି। ଜଣେ ବନ୍ଧୁଙ୍କ ସହାୟତାରେ ହାସାନ ପ୍ରଥମଥର ଲାଗି ଶାମିଆଙ୍କୁ ଦୁବାଇରେ ଭେଟିଥିଲେ।
ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ହାସାନ ୨୦୧୬ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ପକ୍ଷରୁ ୯ ଟେଷ୍ଟ, ୫୩ ଦିନିକିଆ ଓ ୩୦ ଟି୨୦ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରି ଯଥାକ୍ରମେ ୩୧, ୮୨ ଓ ୩୫ ଉଇକେଟ୍‌ ଅକ୍ତିଆର କରିଛନ୍ତି। ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତକୁ ପରାସ୍ତ କରିବାରେ ହାସାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଠାରେ ସ୍ମରଣଯୋଗ୍ୟ, ଭାରତୀୟ ଝିଅକୁ ବିବାହ କରିବାରେ ହାସାନ ପ୍ରଥମ ପାକିସ୍ତାନ କ୍ରିକେଟର୍‌ ନୁହଁନ୍ତି। ତାଙ୍କ ପୂର୍ବରୁ ନିକଟରେ କ୍ରିକେଟରୁ ଅବସର ନେଇଥିବା ସୋଏବ ମଲିକ ଭାରତୀୟ ଟେନିସ ଲଳନା ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ସେହିଭଳି ଅନ୍ୟତମ ପାକିସ୍ତାନ କ୍ରିକେଟର୍‌ ଜାହିର୍‌ ଆବାସ ଓ ମୋହସିନ ହାସାନ ଖାଁ ମଧ୍ୟ ଭାରତରେ ବିବାହ କରିଛନ୍ତି।

Share