ହରିୟାଣା ବିଧାନସଭା ନିର୍ବାଚନ: ଯୋଗେଶ୍ୱର, ବବିତାଙ୍କୁ ଟିକେଟ

ନୂଆଦିଲ୍ଲୀ,୧ା୧୦(ପି.ଟି.)-୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୨୧ରେ ନିର୍ବାଚନ ହେବାକୁ ଯାଉଥିବାବେଳେ ସୋମବାର ଭାଜପା ୭୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କୁ ପୁଣି ଥରେ କର୍ନଲରୁ ପ୍ରାର୍ଥୀ କରାଯାଇଥିଲାବେଳେ ଏକାଧିକ କ୍ରୀଡାବିତ୍‌ଙ୍କୁ ଟିକେଟ ମିଳିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଲିମ୍ପିକ୍‌ ମେଡାଲ ବିଜେତା ଯୋଗେଶ୍ୱର ଦତ୍ତ, ରେସ୍‌ଲର ବବିତା ଫୋଗତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦିପ୍‌ ସିଂ। ବବିତା ଦାଦ୍ରିରୁ, ସନ୍ଦିପ୍‌ ପେହୋଓ୍ବା ଏବଂ ଯୋଗେଶ୍ୱର ବରୋଦା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଭାଜପା ସାଧାରଣ ସମ୍ପାଦକ ଅରୁଣ ସିଂ ସୂଚନା ଦେଇଛନ୍ତି। ୩୮ ବିଧାୟକଙ୍କୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଟିକେଟ ଦିଆଯାଇଥିବାବେଳେ ୭ ଜଣଙ୍କୁ ବାଦ୍‌ ଦିଆଯାଇଛି। ହରିୟାଣା ଭାଜପା ସଭାପତି ସୁଭାଷ ବରାଳ ତୋହାନାରୁ, କ୍ୟାପ୍‌ଟେନ ଅଭିମନ୍ୟୁ ନାର୍ନୋଡରୁ ଏବଂ ଓମ୍‌ ପ୍ରକାଶ ଧନ୍‌କର ବଡ୍‌ଲିରୁ ନିର୍ବାଚନ ଲଢ଼ିବେ। ଭାଜପାର ପ୍ରଥମ ପର୍ଯ୍ୟାୟ ତାଲିକାରେ ୯ ମହିଳା ଓ ୨ ମୁସଲମାନ ପ୍ରାର୍ଥୀ ସ୍ଥାନ ପାଇଛନ୍ତି।

Share