Categories: ଜାତୀୟ

ହରିୟାଣା-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା: ହେବ ପ୍ରଥମ ପ୍ଲାଷ୍ଟିକ୍‌ ମୁକ୍ତ ନିର୍ବାଚନ

ନୂଆଦିଲ୍ଲୀ, ୨୧।୯: ହରିୟାଣା-ମହାରାଷ୍ଟ୍ର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ଶନିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ ଭୋଟ ଗ୍ରହଣ କରାଯିବ। ସେହିପରି ଅକ୍ଟୋବର ୨୪ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ନିର୍ବାଚନକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲାଗି ପ୍ରୟାସ କରାଯାଇଛି। ପ୍ରାର୍ଥୀମାନେ କୌଣସି ପ୍ଲାଷ୍ଟିକ୍‌ ନିର୍ମିତ ହୋର୍ଡିଂ ଅବା ବ୍ୟାନର ବ୍ୟବହାର କରିବେ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ପ୍ରାର୍ଥୀ ମାନଙ୍କର ନିର୍ବାଚନ ଖର୍ଚ୍ଚ ସୀମା ୨୮ ଲକ୍ଷ ଧାର୍ଯ୍ୟ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଆରୋରା କହିଛନ୍ତି। ଏନେଇ ବିଜ୍ଞପ୍ତି ସେପ୍ଟେମ୍ବର ୨୭ରେ ପ୍ରକାଶ ପାଇବ। ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ତାରିଖ ଅକ୍ଟୋବର ୪ ଥିବାବେଳେ ଅକ୍ଟୋବର ୫ରେ ଯାଞ୍ଚ୍‌ ଏବଂ ଅକ୍ଟୋବର ୭ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇ ପାରିବ। ଏହି ନିର୍ବାଚନ ସହିତ ଅରୁଣାଚଳପ୍ରଦେଶ,ବିହାର, ଛତିଶଗଡ଼, ଆସାମ, ଗୁଜରାଟ, ହିମାଚଳପ୍ରଦେଶ,କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ପୁଡୁଚେରୀ, ପଞ୍ଜାବ, ରାଜସ୍ଥାନ, ସିକିମ୍‌, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଆଦି ରାଜ୍ୟର ୬୪ ବିଧାନସଭା ଆସନରେ ଉପ ନିର୍ବାଚନ ମଧ୍ୟ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହରିୟାଣାର ୯୦ ବିଧାନସଭା ଆସନ ମଧ୍ୟରୁ ୧୭ଟି ଏସ୍‌ସି ବର୍ଗଙ୍କ ପାଇଁ ସଂରକ୍ଷିତ। ସେହିପରି ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ୨୯ ଏସ୍‌ସି ଏବଂ ୨୫ ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି। ହରିୟାଣାର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା କୋଟିଏ ୮୨ ଲକ୍ଷ ଥିବାବେଳେ ମହାରାଷ୍ଟ୍ରରେ ୮କୋଟି ୯୪ ଲକ୍ଷ ପଞ୍ଜିକୃତ ଭୋଟର ରହିଛନ୍ତି। ସୂଚନାଯୋଗ୍ୟ, ହରିୟାଣା ସରକାରଙ୍କର କାର୍ଯ୍ୟକାଳ ନଭେମ୍ବର ୨ରେ ଶେଷ ହେଉଥିବାବେଳେ ମହାରାଷ୍ଟ୍ର ସରକାରଙ୍କ କାର୍ଯ୍ୟକାଳ ନଭେମ୍ବର ୯ରେ ଶେଷ ହେଉଛି।

Share