ହଲଚଲ ହେଉଛି ଶବ

କାନ୍‌ବେରା: ମୃତ୍ୟୁ ପରେ ମଣିଷ ଶରୀର ପାଖାପାଖି ବର୍ଷେ ଯାଏ ହଲଚଲ ହୁଏ ଅର୍ଥାତ ତା’ ମୂଳ ଅବସ୍ଥାରେ କିଛି ଏପାଖ ସେପାଖ ହୁଏ ବୋଲି ଜାଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ। ଅଷ୍ଟ୍ରେଲିଆର ବୈଜ୍ଞାନିକ ଏଲିଶନ ଓ୍ବିଲ୍‌ସନ ଗବେଷଣା କରି ଏହା ଜାଣି ପାରିଛନ୍ତି। ସେ ୧୭ ମାସ ଯାଏ ଶବ ଉପରେ ନଜର ରଖି ଏବଂ ତା’ର ପ୍ରତ୍ୟେକ ମୁଭମେଣ୍ଟର ଫଟୋ ସଂଗ୍ରହ କରୁଥିଲେ। ଏଲିଶନ କହନ୍ତି, ମୃତ୍ୟୁ ପରେ ବି ମଣିଷ ଶରୀରର କିଛିି ମୁଭ୍‌ମେଣ୍ଟ ହୋଇଥାଏ। ଏହି କାରଣରୁ ଅନେକ ସମୟରେ ଶବ ବଞ୍ଚିଥିବା ଭଳି ମନେହୁଏ। ଏଲିଶନଙ୍କ ଅନୁସାରେ ଗବେଷଣା ଆରମ୍ଭରୁ ଶବ ହାତ ଓ ଶରୀରକୁ ଚାପି ରଖାଯାଇଥିଲା। ସମୟ କ୍ରମେ ହାତ ଧୀରେ ଧୀରେ ବାହାରକୁ ଖସିଯାଇଥିଲା। ଏହା ଡିକମ୍ପୋଜିଶନ ବା ବିଘଟନ କାରଣରୁ ହେଉଛି ବୋଲି ସେ କହିଛନ୍ତି। ସମୟକ୍ରମେ ଯେତିକି ଯେତିକି ଶରୀର ଶୁଖିବାରେ ଲାଗେ ଶବର ଗତି ସେତିକି ବଢିଯାଏ। ଏଲିସନ କୁହନ୍ତି,ଏହି ଗବେଷଣା ହତ୍ୟାର କାରଣ ଜାଣିବାରେ ସାହାଯ୍ୟ କରିବ। ଶବ ଉପରେ ଗବେଷଣା କରିବା ପାଇଁ ଏଲିଶନ ପ୍ରତି ମାସରେ ତିନି ଘଣ୍ଟା ପାଇଁ ବିମାନରେ କେନ୍ସରୁ ସିଡ୍‌ନୀ ଯାଉଥିଲେ। ଶବର ଗତିକୁ ଅନୁଧ୍ୟାନ କରିବା ଲାଗି ଟାଇମ ଲ୍ୟାପ୍ସ କ୍ୟାମେରା ଖଞ୍ଜାଯାଇଥିଲା। ଏହା ପ୍ରତି ୩୦ ମିନିଟରେ ଶବର ଫଟୋ ନେଉଥିଲା। ମୃତ୍ୟୁ ପରେ ଶରୀରର କ’ଣ ହୁଏ ତାହା ଜାଣିବାରେ ଏଲିଶନଙ୍କର ପିଲାଦିନରୁ ଇଚ୍ଛା ରହିଥିଲା, ଯାହା ସେ ଏବେ ଜାରି ରଖିଛନ୍ତି। ଫରେନ୍‌ସିକ ସାଇନ୍ସ ଇଣ୍ଟରନ୍ୟାଶନାଲ ସିନର୍ଜି ମୁତାବକ, ଏହି ଗବେଷଣା ମୃତ୍ୟୁ ପରେ ଶରୀରର କ’ଣ ପରିବର୍ତ୍ତନ ହୁଏ ତାହା ଅଧିକ ଜାଣିବାରେ ସହାୟକ ହେବ। ଗବେଷଣାରେ ଏକ ପ୍ରକାର ସଫଳତା ପାଇଥିବାରୁ ଏଲିଶନ ଖୁସି ହୋଇଛନ୍ତି ଓ ଶବରେ କିଛି ଗତି ଲକ୍ଷ୍ୟ କରିବା ଘଟଣାକୁ ସାମ୍‌ନାକୁ ଆଣିଛନ୍ତି ଯାହା ଏଯାବତ କେହି ବି ବୁଝିପାରି ନାହାନ୍ତି। ଆଉ ଅଧିକ ତଥ୍ୟ ହାସଲ କରିବା ପାଇଁ ଏଲିଶନ ଚେଷ୍ଟା ଜାରି ରଖିଛନ୍ତି।

Share