ହଳ କରିବା ବେଳେ ଓଲଟିଲା ଟ୍ରାକ୍ଟର, ଚାପିହୋଇ ଚାଳକ ମୃତ

ମାଥିଲି, ୧୭ା୭: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଚାଉଳମେନ୍ଦି ପଞ୍ଚାୟତ ଅଧୀନ ମଇଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତି ଟ୍ରାକ୍ଟର ଦ୍ୱାରା ଚାଷ ଜମିରେ ହଳ କରୁଥିବା ବେଳେ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ଓଲଟି ପଡିବାରୁ ତା’ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାମ ଦେବେନ୍ଦ୍ର ମଇଲି (୨୨)। ଚାଉଳମେନ୍ଦି ଗଭଗ୍ରାମରେ ତାଙ୍କ ଘର। ଦେବେନ୍ଦ୍ର ବୁଧବାର ସକାଳେ ଟ୍ରାକ୍ଟର ନେଇ ଗ୍ରାମର ସନ୍ୟା ବଟେଙ୍କ ଜମିକୁ ଚାଷ କରିବାକୁ ଯାଇଥିଲେ। ହଠାତ ଜମିରେ ଟ୍ରାକ୍ଟର ଦବି ଯାଇଥିଲା । ଟ୍ରାକ୍ଟରକୁ ସେ ବାହାର କରିବାକୁ ଚେଷ୍ଟା କରିଥିଲେ। ୨ଟି କାଠଗଣ୍ଡି ପକାଇ ଟ୍ରାକ୍ଟରକୁ ବାହାର କରିବାକୁ ଉଦ୍ୟମ କରୁଥିବା ବେଳେ ହଠାତ ଟ୍ରାକ୍ଟରଟି ଓଲଟି ପଡିଥିଲା । ଦେବେନ୍ଦ୍ର ଟ୍ରାକ୍ଟର ତଳେ ରହିଯାଇଥିଲେ। ଫଳରେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ମାଥିଲି ପୋଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚତ୍ ଟ୍ରାକ୍ଟର ତଳୁ ଦେବେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ମାଥିଲି ଥାନାରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଜନ ଖୁଜୁର କହିଛନ୍ତି ।

Share