ହଷ୍ଟେଲରୁ ଖାଦ୍ୟ ଚୋରି: ଛାତ୍ରଙ୍କୁ ୨୦ ହଜାର ଜରିମାନା

ଲକ୍ଷ୍ନୌ : ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଘଟିଛି ଅଜବ ଘଟଣା। ଭୋକରେ ଥିବା ଜଣେ ଛାତ୍ର ହଷ୍ଟେଲରୁ ଖାଦ୍ୟ ଚୋରିକରି ଖାଇବାରୁ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ବି.ଏ. ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଆୟୁଷ ସିଂ ନାମକ ଛାତ୍ରଙ୍କୁ ଏଭଳି ଜରିମାନା ଲଗାଯାଇଥିବାବେଳେ ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟର ସେଣ୍ଟ୍ରାଲ ମେସ୍‌ରେ ବିଭିନ୍ନ ସମୟରେ ନାମ ବଦଳାଇ ଛାତ୍ରମାନେ ଅନ୍ୟର ମିଲ୍‌ ଖାଉଥିବାବେଳେ ନିରୀକ୍ଷକ ଆୟୁଷଙ୍କ ଉପରେ ଏଭଳି ମୋଟା ଅଙ୍କର ଜରିମାନା ଲଗାଇଥିବା କୁହାଯାଉଛି।
ସେପ୍ଟେମ୍ବର ୩ରେ ଘଟିଛି ଏଭଳି ଅଜବ ଘଟଣା। ସେଣ୍ଟ୍ରାଲ ମେସ୍‌କୁ ଯାଇ ଭୋକିଲା ଥିବା ଆୟୁଷ ଲଞ୍ଚ୍‌ କରିଥିଲେ। କେବଳ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଏଠାକାର ଖାଦ୍ୟ ଉଦ୍ଦିଷ୍ଟ ଥିବାବେଳେ ନିରୀକ୍ଷକ ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଆୟୁଷ ନିଜର ଏଭଳି ଭୁଲ୍‌ ପାଇଁ କ୍ଷମା ମାଗିବା ସହ ଆଉ ଏମିତି କରିବେନି ବୋଲି କହିଥିଲେ ହେଁ ପେଟର ଭୋକ ଲାଗି ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଥିଲେ। ତଥାପି ନିରୀକ୍ଷକ ପ୍ରଫେସର ବିନୋଦ କୁମାର ସିଂ ଏନେଇ ଏକ ନୋଟିସ ଜାରି କରି ସପ୍ତାହକ ମଧ୍ୟରେ ଜରିମାନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା କରା ନ ଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ତାଙ୍କ ବିରୋଧରେ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସାମାନ୍ୟ ଭୁଲ ଲାଗି ଏତେ ପରିମାଣର ଜରିମାନାକୁ ନେଇ ଆୟୁଷଙ୍କ ସହପାଠୀମାନେ ସ୍ବର ଉଠାଇଥିବା ଜଣାପଡ଼ିଛି।

Share