ହଷ୍ଟେଲରେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ

କେନ୍ଦୁଝର, ୧୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଯନ୍ତାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ରୋଷେୟା ଅସଦାଚରଣ କରିଛନ୍ତି। ଛାତ୍ରୀ ବିରୋଧ କରିବାରୁ ରୋଷେୟା ମାଡ଼ ମାରିଥିବା ଜଣାପଡ଼ିଛି। ଘଟଣା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଅଭିଯୋଗ ଆଧାରରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟ ପରିସରରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ଏକ ହଷ୍ଟେଲ ରହିଛି। ୧୪ ଆଦିବାସୀ ବାଳିକା ଓ ୨୬ ବାଳକ ରହି ପାଠ ପଢ଼ୁଛନ୍ତି। ହଷ୍ଟେଲ ରୋଷେୟା ଭଗବାନ ବେହେରା ରବିବାର ରାତିରେ ଜଣେ ୩ୟ ଶ୍ରେଣୀ ଛାତ୍ରୀଙ୍କୁ ଡାକି ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ମାରି ଗେଟ୍‌ ବାହାରକୁ ବାହାର କରିଦେଇଥିଲେ। ଅନ୍ୟ ଛାତ୍ରୀଛାତ୍ର ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଛାତ୍ରୀ ଜଣକ ଭୟରେ ହଷ୍ଟେଲ ଗାଧୁଆଘରେ ଲୁଚିଥିଲେ। ପାଟିତୁଣ୍ଡ ଶୁଣି ଗ୍ରାମବାସୀ ପହଞ୍ଚିବାରୁ ରୋଷେୟା ଫେରାର ହୋଇଯାଇଥିଲେ। ବ୍ଲକ୍‌ ଶିକ୍ଷା ଅଧିକାରୀ ତୃପ୍ତିମୟୀ ପାତ୍ର କହିଛନ୍ତି, ଏବିଇଓଙ୍କୁ ପଠାଇ ତଦନ୍ତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଘଟଣାର ସତ୍ୟତା ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷା ଅଧିକାରୀ ଓ ଜିଲା ମଙ୍ଗଳ ବିଭାଗକୁ ରିପୋର୍ଟ କରାଯାଇଛି। ଘଟଣା ପରେ ଛାତ୍ରୀଛାତ୍ର ଭୟରେ ବିଦ୍ୟାଳୟ ଛାଡ଼ିବାକୁ କହୁଛନ୍ତି।

Share