ହଷ୍ଟେଲ ଛାଡୁଛନ୍ତି ଛାତ୍ରୀ, ମରାମତି ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ

ବାରିପଦା ଅଫିସ,୩୧।୧୦: ମୟୂରଭଞ୍ଜ ଜିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଆଦିବାସୀ ଛାତ୍ରୀ ହଷ୍ଟେଲ ବହୁ ଅବ୍ୟବସ୍ଥା ଭିତରେ ଗତି କରୁଛି। ଏହି ହଷ୍ଟେଲଟି ୧୦୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏହାକୁ ମରାମତି ପାଇଁ କର୍ତ୍ତୃପକ୍ଷ କିମ୍ବା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ନଜର ଦେଉନାହାନ୍ତି। ଫଳରେ ବାଧ୍ୟ ହୋଇ ହଷ୍ଟେଲର ଏକ ପ୍ରତିନିଧି ଦଳ ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବିଜନ କୁମାର ଥମ୍ବଙ୍କୁ ସାକ୍ଷାତ କରି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ହଷ୍ଟେଲରେ ନଳକୂପ, ପାଣି ଟାଙ୍କି, ଅତିରିକ୍ତ ଶୌଚାଳୟର ଆବଶ୍ୟକତା ଥିବା ବେଳେ ସମସ୍ତ କୋଠରିର କବାଟ, ଝରକା, କାନ୍ଥ ଆଦି ନଷ୍ଟ ହୋଇଗଲାଣି। ଏହା ସହିତ ହଷ୍ଟେଲ କୋଠାକୁ ରଙ୍ଗ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ଶୀତଦିନରେ ଆହୁରି ହଇରାଣ ହେବାକୁ ପଡ଼ିବ ବୋଲି ଛାତ୍ରୀମାନେ ହଷ୍ଟେଲ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଏହାର ତୁରନ୍ତ ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ସେମାନେ ଲିଖିତ ଭାବେ ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ତିଳୋତ୍ତମା ଟୁଡୁ, ସରୋଜିନୀ ମାରାଣ୍ଡି, ଶିବାନୀ ମୁଣ୍ଡା, ସୋନାଲି ହେମ୍ବ୍ରମ ପ୍ରମୁଖଙ୍କ ସହିତ ଅନ୍ୟ ଛାତ୍ରୀମାନେ ସାମିଲ ଥିଲେ। ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ(ମାସା)ର ରାଜ୍ୟ ସଭାପତି ଶୁକଲାଲ ମାରାଣ୍ଡି ଛାତ୍ରୀମାନଙ୍କୁ ସମର୍ଥନ କରି ସେଠାରେ ଉପସ୍ଥିତ ରହି ଅନୁରୂପ ଦାବି କରିଛନ୍ତି।