ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ, ଆତ୍ମାହୁତି ଆନ୍ଦୋଳନ ପ୍ରତ୍ୟାହୃତ କଲେ ସୁର

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି ପୂରଣ ନ ହେଲେ ସେ ଦାରୁଠେଙ୍ଗ ଏବଂ ଜଟଣୀର ୨୭ଟି ଗ୍ରାମର ବାସିନ୍ଦାଙ୍କ ସହ ନବୀନ ନିବାସ ସମ୍ମୁଖରେ ଜାନୁୟାରୀ ୨୭ରେ ସମୂହ ଆତ୍ମାହୁତି ଦେବେ ବୋଲି କହିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ଗୁରୁବାର ଦାବିଗୁଡ଼ିକୁ ବିଚାରକୁ ନେଇ କାର୍ଯ୍ୟ ସମ୍ପାଦନ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ସଚିବାଳୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବା ପରେ ଦାବିଗୁଡ଼ିକର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଶୁକ୍ରବାର ସୁର କହିଛନ୍ତି।

ଭୁଲରେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଥିବା ଜଟଣୀର ୨୭ଟି ଗ୍ରାମର ସ୍ଥିତିବାନ ସମ୍ପତ୍ତିର ମାଲିକାନା ସ୍ବତ୍ୱ ଅଞ୍ଚଳବାସୀଙ୍କୁ ଫେରାଯିବ। ଦାରୁଠେଙ୍ଗରେ ଥିବା ଡମ୍ପିଂୟାର୍ଡକୁ ସ୍ଥାନାନ୍ତର କରି ସେଠାରେ ଏକ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଭୁବନେଶ୍ୱରର ପ୍ରତ୍ୟେକ ଓ୍ବାର୍ଡରେ ଡମ୍ପିଂୟାର୍ଡ ବ୍ୟବସ୍ଥା କରାଯିବ। କପିଳେଶ୍ୱର ମନ୍ଦିର ଚତୁଃପାର୍ଶ୍ୱର ଉନ୍ନତି କରିବା ସହ କେନାଲ ରାସ୍ତାକୁ ଚାରିଟିକିଆ ରାସ୍ତାରେ ପରିଣତ କରାଯିବ। ଏଥିସହ କପିଳେଶ୍ୱର-ଜଟଣୀ ରାସ୍ତା, ଜଟଣୀ ତଳଖେଦାଠାରୁ ହରିଭାଇନା ଛକ, କେରଙ୍ଗଠାରୁ ହଳଦିଆ ଭାୟା ଟାଙ୍ଗିଆପଡ଼ା ରାସ୍ତା, ଜଟଣୀ ଥାନା ଛକରୁ ତିରିମଲ ଭାୟା ବାଛେରା ପର୍ଯ୍ୟନ୍ତ ଚାରିଟିକିଆ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ସହ ସମୂହ ଆତ୍ମାହୁତିକୁ ସ୍ଥଗିତ ରଖାଗଲା ବୋଲି ସୁର କହିଛନ୍ତି।

ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାଶ, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ରସିକ ପଟ୍ଟନାୟକ, ତରୁଣ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share