Categories: ଜାତୀୟ

ହସ୍ତକ୍ଷେପ ଲାଗି ମନାକଲା କେନ୍ଦ୍ର

ନୂଆଦିଲ୍ଲୀ/ହାଇଦ୍ରାବାଦ, ୫ା୨: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଭାଇଜାଗ୍‌କୁ କାର୍ଯ୍ୟକାରୀ ରାଜଧାନୀ, ଅମରାବତୀକୁ ବ୍ୟବସ୍ଥାପକ ରାଜଧାନୀ ଓ କୁର୍ନୁଲ୍‌କୁ ନ୍ୟାୟିକ ରାଜଧାନୀ କରିବା ଯୋଜନାରେ ଅଛନ୍ତି। ରାଜ୍ୟରେ ଏଭଳି ୩ ରାଜଧାନୀ କରିବାକୁ ସେ ଚାହୁଁଥିବାବେଳେ ଟିଡିପି ଏହାକୁ ବିରୋଧ କରିଆସୁଛି। ଏହା ରାଜ୍ୟର ଇଚ୍ଛାଧୀନ କଥା, ଏଥିରେ ହସ୍ତକ୍ଷେପ କରାଯିବ ନାହିଁ ବୋଲି ପାର୍ଲାମେଣ୍ଟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଟିଡିପି ଏମ୍‌ପି ଜୟଦେବ ଗାଲାଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ରାଜ୍ୟ ରାଜଧାନୀ ସମ୍ପର୍କରେ ସମ୍ପୃକ୍ତ ଅଞ୍ଚଳରେ ରାଜ୍ୟଗୁଡ଼ିକ ସ୍ବାଧୀନ ନିଷ୍ପତ୍ତି ନେଇପାରିବେ। ପ୍ରକାଶଥାଉ କି, ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡ଼ୁ ଅମରାବତୀକୁ ରାଜ୍ୟର ରାଜଧାନୀ କରାଯିବ ବୋଲି ଘୋଷଣା କରିଥିଲେ। ୨୦୧୫ ଏପ୍ରିଲରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ଜଗନ୍‌ ଏହା ବିରୋଧରେ ଯାଇ ରାଜ୍ୟରେ ୩ ରାଜଧାନୀ କରିବା ଲାଗି ବିଲ୍‌ ଆଣିଥିଲେ। ବିଲ୍‌ଟି ବିଧାନ ପରିଷଦରେ ପାସ୍‌ ହୋଇ ନ ଥିଲା। ଶାସକ ଦଳର ସଂଖ୍ୟାଗରିଷ୍ଠତା ନ ଥିବାରୁ ବିଧାନ ପରିଷଦକୁ ଭଙ୍ଗକରିବା ଲାଗି ଜଗନ୍‌ ଚାହୁଁଛନ୍ତି। ଏହାକୁ ନେଇ ରାଜନୀତି ବଢ଼ିବାରେ ଲାଗିଛି।

Share