ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍ରେ ଡିସ୍ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ ନାକେଦମ୍ ହୋଇପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡୋବୋରା ଡାକ୍ତରଖାନାକୁ ପୁଣି ଅଣାଯାଇଥିବା ବେଳେ ଅନ୍ୟ ଜଣେ ରୋଗୀ ଫେରାର ଅଛନ୍ତି। ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ୪ ରୋଗୀଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ହୋଇଥିବା ବେଳେ ଅନ୍ୟ ଜଣେ ଆଉ ଏକ ପରିବାରର।
ଏକ ରିପୋର୍ଟ ଅନୁଯାୟୀ, ଭିଲୁପୁରମର ସିଭିଲ ହସ୍ପିଟାଲରେ ୪ ସନ୍ଦିଗ୍ଧ ରୋଗୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ଯେଉଁଥିରେ ସେମାନଙ୍କୁ କରୋନା ନେଗେଟିଭ୍ କୁହାଯାଇଥିଲା। କିନ୍ତୁ ପରେ ଏହି ୪ ରୋଗୀଙ୍କ ରିପୋର୍ଟ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଫେରାର ଥିବା ରୋଗୀ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଖୋଜାଚାଲିଛି। ସଂପୃକ୍ତ ରୋଗୀ ଜଣକ ଦିଲ୍ଲୀର ଜଣେ ପ୍ରବାସୀ ଶ୍ରମିକ । ତାଙ୍କୁ ଖୋଜିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ଗୁରୁବାର ସକାଳ ପର୍ଯ୍ୟନ୍ତ ତାମିଲନାଡୁରେ ମୋଟ ୭୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଚେନ୍ନାଇରେ ସର୍ବାଧିକ ୮୧ ରୋଗୀ ଅଛନ୍ତି।