ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ: ହିନ୍ଦୁ, ମୁସ୍‌ଲିମ ରୋଗୀଙ୍କ ପାଇଁ ଅଲଗା ଓ୍ବାର୍ଡ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଗୁଜରାଟର ଏକ ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳିଛି। ଏହି ବୈଷମ୍ୟପୂର୍ଣ୍ଣ ବିଷୟ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଭାଜପା ଶାସିତ ରାଜ୍ୟ ଗୁଜରାଟର ଅହମଦାବାଦସ୍ଥିତ ଏକ ସରକାରୀ ହସ୍ପିଟାଲରେ କରୋନା ଭାଇରସ୍‌ରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯାଉଛି। ସେଠାରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ସେମାନଙ୍କ ଧର୍ମ ଆଧାରରେ ଅଲଗା ଅଲଗା ରଖାଯାଉଛି। ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଏପରି କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଦାବି କରୁଛନ୍ତି। ଅହମଦାବାଦ ସିଭିଲ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ଗୁଣବନ୍ତ ଏଚ୍‌. ରାଠୋଡ୍‌ କହିଛନ୍ତି, ସାଧାରଣତଃ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ରହିଛି। କିନ୍ତୁ ଆମେ ଏଠାରେ ହିନ୍ଦୁ ଓ ମୁସଲମାନ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ଗଠନ କରିଛୁ। ଏହା ହେଉଛି ସରକାରଙ୍କ ନିର୍ଦ୍ଦେଶ। ଆପଣ ଚାହିଁଲେ ସରକାରଙ୍କୁ ପଚାରିପାରନ୍ତି।
ଏନେଇ ଗୁଜରାଟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପ୍ରଧାନ ସଚିବ ଜୟନ୍ତୀ ରବିଙ୍କୁ ପଚରାଯିବାରୁ ତାଙ୍କ ବ୍ୟକ୍ତିଗତ ସହାୟକ ଫୋନ୍‌ ଧରିଥିଲେ। ସେ କିଛି ଉତ୍ତର ଦେବା ପରିବର୍ତ୍ତେ ହସ୍ପିଟାଲର ରେସିଡେଣ୍ଟ ମେଡିକାଲ ଅଫିସର ଡକ୍ଟର ସଞ୍ଜୟ ସୋଲାଙ୍କିଙ୍କ ସହ କଥା ହେବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସୋଲାଙ୍କି ମଧ୍ୟ ମୁହଁ ଖୋଲିବା ପାଇଁ ମନା କରିବା ସହ ଡକ୍ଟର ରାଠୋଡ୍‌ଙ୍କ ସହ ଆଲୋଚନା କରିବାକୁ କହିଥିଲେ। ଶେଷରେ ଗୁଜରାଟ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ କହିଥିଲେ, ଏପରି କିଛି ଘଟିନାହିଁ। ଲୋକଙ୍କୁ ଯାହା ଦରକାର ସମସ୍ତ ଚିକିତ୍ସା ସେବା ପ୍ରଦାନ କରାଯାଉଛି। ପ୍ରକାଶ ଯେ, ଭାଜପା ଉଭୟ ଗୁଜରାଟ ଓ କେନ୍ଦ୍ରରେ କ୍ଷମତାସୀନ ଅଛି। ନରେନ୍ଦ୍ର ମୋଦି ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୨୦୦୧ରୁ ୧୩ ବର୍ଷ ଧରି ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ।

Share