ହସ୍ପିଟାଲରେ ବନ୍ଧା ପଡ଼ିଛନ୍ତି ହାତୀ ଆକ୍ରମଣରେ ଆହତ ମହିଳା

ଭୁବନେଶ୍ୱର, ୮।୩(ବ୍ୟୁରୋ): ଗତମାସ ୨୩ ତାରିଖରେ ପୁରୀ ଜିଲାର ପିପିଲି ଓ ବଳଙ୍ଗା ଏବଂ ଭୁବନେଶ୍ୱର ଉପକଣ୍ଠରେ ଏକ ଦନ୍ତା ହାତୀ ଆତଙ୍କ ରଚାଇଥିଲା। ୪ଜଣଙ୍କ ଜୀବନ ନେବା ସହ ଏକାଧିକଙ୍କୁ ଆହତ କରିଥିଲା। ଘଟଣା ପରେ ମୃତକଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏପରି କି ସ୍ଥାନୀୟ ନେତା ମଧ୍ୟ ଆହତଙ୍କ ପରିବାରକୁ ସମାନ କଥା କହି ଆଶ୍ୱାସନା ଦେଇଥିଲେ। ଓଏଚ୍‌ଆର୍‌ସି ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସରକାର ଚିକିତ୍ସା ବାବଦ ଅର୍ଥ ଦେଉ ନ ଥିବାରୁ କେତେଜଣ ଆହତ ସୁସ୍ଥ ହୋଇଥିଲେ ମଧ୍ୟ ଘରୋଇ ହସ୍ପିଟାଲ ଛାଡ଼ିପାରୁନାହାନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ପାଇଁ ଏକପ୍ରକାର ବନ୍ଧା ରଖିଥିବା ଜଣାପଡିଛି। ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝଇବାକୁ ନା କୌଣସି ପ୍ରଶାସନ ଅଧିକାରୀ ଅବା ଜନପ୍ରତିନିଧି କେହିହେଲେ ଆସୁ ନ ଥିବାରୁ ଆହତ କିପରି ଘରକୁ ଫେରିବେ ସେନେଇ ଚିନ୍ତାରେ ରହିଛନ୍ତି ପରିବାର ଲୋକେ।

ସୂଚନାନୁସାରେ, ହାତୀ ଆକ୍ରମଣରେ ଆହତ ହୋଇଥିବା ବଳଙ୍ଗାର ଛବି ଦେଇ (୫୨) ଭୁବନେଶ୍ୱର କଟକରୋଡ଼ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପ୍ରାୟତଃ ଠିକ୍‌ ହୋଇଯାଇଥିଲେ ମଧ୍ୟ ତାଙ୍କୁ ଘରକୁ ଛଡ଼ାଯାଉନି। ହସ୍ପିଟାଲ କର୍ତ୍ତୃପକ୍ଷ କହୁଛନ୍ତି, ଚିକିତ୍ସା ବାବଦକୁ ୪ ଲକ୍ଷ ଟଙ୍କା ଦେବା ପରେ ଡିସ୍‌ଚାର୍ଜ କରାଯିବ। ଅନ୍ୟପକ୍ଷରେ ହସ୍ପିଟାଲ ଚାର୍ଜ ଦିନକୁ ୩୫ ହଜାର ଟଙ୍କା ହୋଇଥିବାରୁ ଖର୍ଚ୍ଚ ପରିମାଣ ବଢିଚାଲିଛି। ଖର୍ଚ୍ଚ ଅର୍ଥ ଦେବାକୁ ପରିବାର ଉପରେ ଚାପ ପକାଯାଉଛି। ହେଲେ ଗରିବ ପରିବାର ଏତେ ଟଙ୍କା କେଉଁଠୁ ଆଣିବେ ବୋଲି ଚିନ୍ତାରେ ଘାରି ହେଉଛନ୍ତି। ସେମାନେ ଇତିମଧ୍ୟରେ ସିଡିଏମ୍‌ଓ ଓ ଅନ୍ୟ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିଥିଲେ ମଧ୍ୟ ଚିକିତ୍ସା ବାବଦ ଅର୍ଥ କେବେ ମିଳିବ ସେନେଇ କେହିହେଲେ ସ୍ପଷ୍ଟ ସୂଚନା ଦେଇପାରୁନାହାନ୍ତି। ଏପରି କି ବିଭିନ୍ନ ଆଳ କରି ବାରମ୍ବାର କାଗଜପତ୍ର ମାଗି ବିଳମ୍ବ କରାଉଥିବା ଅଭିଯୋଗ ହେଉଛି। କାଗଜପତ୍ର ଦାଖଲ ସତ୍ତ୍ୱେ ଏକାଧିକ ଅଧିକାରୀଙ୍କ ନିକଟକୁ ଦୌଡି ନିରାଶ ହୋଇଥିବା ଆହତ ଛବି ଦେଈଙ୍କ ଭଣଜା ଚନ୍ଦନ କୁମାର ସ୍ବାଇଁ କହିଛନ୍ତି। ସେ କହିଛନ୍ତି, ଜମି ବିକ୍ରି କରି ଯାହା ଟଙ୍କା ଥିଲା ଚିକିତ୍ସାରେ ଖର୍ଚ୍ଚ ହୋଇଗଲାଣି। ଆମେ ଗରିବ ଶ୍ରେଣୀର ହୋଇଥିବାରୁ ଏତେ ଅର୍ଥ କେଉଁଠୁ ଆଣିବୁ। ସରକାର ନିଜ ପ୍ରତିଶ୍ରୁତି ରଖି ଆମକୁ ସହଯୋଗ କରନ୍ତୁ ବୋଲି ସେ ଆକୁଳ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ, ଛବି ଏବଂ ଅନ୍ୟ ଜଣେ ପୋଖରୀକୁ ଗାଧୋଇବାକୁ ଯାଉଥିବାବେଳେ ହଠାତ ଦନ୍ତା ହାତୀ ଆସି ସେମାନଙ୍କୁ ଆକ୍ରମଣ କରିଥିଲା। ତାଙ୍କ ସହ ଥିବା ମହିଳା ପାଣିକୁ ଡେଇଁ ଜୀବନ ବଞ୍ଚାଇଥିଲେ ମଧ୍ୟ ଛବି କିନ୍ତୁ ଦନ୍ତା ହାବୁଡ଼ରୁ ଖସିପାରି ନ ଥିଲେ।

Share