ହସ୍ପିଟାଲରେ ଭର୍ତ୍ତି ହେବାକୁ ରାସ୍ତାରେ ଲାଇନ୍‌ ଲଗାଇଲେ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ରୋଗୀଙ୍କ ସହ ବଡ଼ ଅବହେଳା କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କରୋନା ରୋଗୀମାନେ ରାସ୍ତାରେ ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଇଟାଓ୍ବା ଜିଲାର ଏକ ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ। ଗୁରୁବାର ସକାଳେ ୬୯ଜଣ କରୋନା ସଂକ୍ରମିତ ରୋଗୀ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ପ୍ରାୟ ୧ଘଣ୍ଟା ପର୍ଯ୍ୟନ୍ତ ହସ୍ପିଟାଲ ବାହାରେ ଲାଇନ୍‌ ଲଗାଇ ଅପେକ୍ଷା କରିଥିଲେ। ଏହାପରେ ଏକ ମେଡିକାଲ ଟିମ୍‌ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ହସ୍ପିଟାଲ ଭିତରକୁ ନେଇଥିବା ଜଣାପଡ଼ିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ରୋଗୀଙ୍କୁ ଆଗ୍ରାରୁ ଉକ୍ତ ହସ୍ପିଟାଲକୁ ଭିର୍ତ୍ତି କରିବା ପାଇଁ ପଠାଯାଇଥିଲା। ସେମାନଙ୍କ ସହ ବସ୍‌ରେ ଏସ୍‌କୋର୍ଟ ଟିମ୍‌ଙ୍କୁ ମଧ୍ୟ ପଠାଯାଇଥିଲା ବୋଲି ସ୍ଥାନୀୟ ପ୍ରଶାସନ କହିଛି। ତେବେ ଏଭଳି ସ୍ଥିତରେ କିପରି ଏହି ଘଟଣା ଘଟିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଉକ୍ତ ହସ୍ପିଟାଲ ଚଳାଉଥିବା ବିଶ୍ୱବିଦ୍ୟାଳୟର କୁଳପତି କହିଛନ୍ତି, ସୂଚନା ଅଭାବ ଯୋଗୁ ଏଭଳି ଘଟଣା ଘଟିଥିଲା। ଅପରପକ୍ଷେ ଏହି ରୋଗୀଙ୍କୁ ଭର୍ତ୍ତି କରିବାକୁ ନେଇ ଡାକ୍ତର ଓ ହସ୍ପିଟାଲ ଷ୍ଟାଫ୍‌ଙ୍କ ମଧ୍ୟରେ ହୋଇଥିବା ବିବାଦ ଏହି ଅବହେଳାର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଏଭଳି ଘଟଣା ଘଟିବା ହସ୍ପିଟାଲର ଦାୟିତ୍ୱହୀନତାକୁ ଦର୍ଶାଉଛି ବୋଲି ଚର୍ଚ୍ଚା ହେଉଛି।

Share