Categories: ଜାତୀୟ

ହସ୍ପିଟାଲର ଲମ୍ବା ବିଲ୍‌: କରୋନା ରୋଗୀଙ୍କୁ ଦେବାକୁ ପଡିଲା ୧୨ ଲକ୍ଷ ଟଙ୍କା

ସୁରଟ,୧୦।୬: କରୋନା ସଙ୍କଟବେଳେ ଡାକ୍ତରମାନେ ଯୋଦ୍ଧା ଭାବରେ ପ୍ରଶଂସିତ ହେଉଛନ୍ତି। ଗୁଜରାଟରେ ଏକ ବେସରକାରୀ ଡାକ୍ତରଖାନାରେ କରୋନା ପଜିଟିଭ ରୋଗୀଙ୍କଠାରୁ ୧୨ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ କରାଯାଇଛି। ସୁରଟର ଝାପା ବଜାର ଅଞ୍ଚଳରେ ରହୁଥିବା ୫୦ ବର୍ଷୀୟ ଗୁଲାମ ହାଇଦର ଶେଖଙ୍କୁ ଥଣ୍ଡା ଏବଂ କାଶ ହୋଇଥିଲା। କରୋନା ଭାଇରସର ଲକ୍ଷଣ ଆଶଙ୍କାରେ ଗୁଲାମ ସୁରଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାପରେ ଡାକ୍ତରମାନେ ଗୁଲାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିବ ବୋଲି କହିଥିଲେ। ଡାକ୍ତରମାନେ ତାଙ୍କ କରୋନା ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ୪୮ ଘଣ୍ଟା ମଧ୍ୟରେ ତାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହି ସମୟ ମଧ୍ୟରେ ଗୁଲାମଙ୍କୁ ଡାକ୍ତରଖାନାର ଆଇସୋଲେସନ୍‌ ୱାର୍ଡରେ ରଖାଯାଇଥିଲା। ସେଠାକୁ ପରିବାର ସଦସ୍ୟଙ୍କୁ ଭେଟିବାକୁ ଅନୁମତି ଦିଆଯାଇ ନ ଥିଲା। ଭିଡିଓ କଲିଂ କରି ସେମାନେ ରୋଗୀ ସହ କଥା ହେଉଥିଲେ। ଏହାପରେ ଡାକ୍ତରମାନେ ପରିବାର ଲୋକଙ୍କୁ ଗୁଲାମଙ୍କ ଫୁସଫୁସ ଖରାପ ଥିବା କଥା ମଧ୍ୟ କହିଥିଲେ। ୧୪ ଭେଣ୍ଟିଲେଟରରେ ରହିବା ପରେ ଶନିବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା। କିନ୍ତୁ ବିଲ୍‌ ଦେଖି ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଚିକିତ୍ସା ପାଇଁ ତାଙ୍କଠାରୁ ୧୨.୨୩ ଲକ୍ଷ ଟଙ୍କା ଆଦାୟ କରାଯାଇଥିଲା।

Share