ହସ୍ପିଟାଲ ଆଇସୋଲେଶନରେ ୨୩, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ଟି ରିପୋର୍ଟ ଆସିଥିବାବେଳେ ଗୋଟିଏ ରିପୋର୍ଟ ଆସିନାହିଁ। ଆସିଥିବା ରିପୋର୍ଟ ମଧ୍ୟରୁ ୨ଟି ପଜିଟିଭ୍‌ ଥିବାବେଳେ ବାକି ସବୁ ନେଗେଟିଭ୍‌ ରହିଛି। କୋଭିଡ୍‌-୧୯ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୨୩ ଜଣଙ୍କୁ ହସ୍ପିଟାଲ ଆଇସୋଲେଶନ୍‌ରେ ରଖାଯାଇଛି। ଯେଉଁ ଦୁଇଜଣ କରୋନା ସଂକ୍ରମଣର ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ସେହିପରି ମହାମାରୀ ରୋଗ ଆଇନ-୧୮୯୭ର ଧାରା-୨ ଏବଂ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ନିୟମାବଳୀର ବିଧି-୧୭ ଅନୁସାରେ ଶନିବାର ଓଡ଼ିଶା ସରକାର କୋଭିଡ୍‌-୧୯ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ନିୟମାନୁସାରେ ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ଆତ୍ମୀୟ, ଚିକିତ୍ସା କରୁଥିବା ଡାକ୍ତର, ସହଯୋଗୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କ ସମ୍ପର୍କିତ ତଥ୍ୟ ଗୋପନ ରଖାଯିବ। କୌଣସି ଗଣମାଧ୍ୟମ କୋଭିଡ୍‌-୧୯ରେ ସଂକ୍ରମିତ ଓ ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ସମ୍ପର୍କୀୟ ଓ ଆତ୍ମୀୟ, ଚିକିତ୍ସକ, ସହଯୋଗୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଠିକଣା ପ୍ରକାଶ କରିପାରିବେ ନାହିଁ ା ସେହିପରି କୌଣସି ରୋଗୀ, ତାଙ୍କର ମାତାପିତା, ଆତ୍ମୀୟ, ଚିକିତ୍ସକ, ସହଯୋଗୀ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସାକ୍ଷାତ୍‌କାର ମଧ୍ୟ ନେଇପାରିବେ ନାହିଁ। ଏହାର ଉଲ୍ଲଂଘନକୁ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରାଯିବ। ଏହା ପ୍ରିଣ୍ଟ, ଇଲେକ୍‌ଟ୍ରୋନିକ୍ସ, ୱେବ୍‌ କିମ୍ବା ସୋସିଆଲ୍‌ ମିଡିଆ ପ୍ରତି ଲାଗୁ ହେବ ।

କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେଉଁ ୫୬ଜଣ ଆସିଥିଲେ ସେମାନଙ୍କ ମଧ୍ୟରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇ ଯୋଗାଯୋଗ ହୋଇସାରିଛି। ବାକି ୩ଜଣଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଜାରି ରହିଛି। ଶୁକ୍ରବାର ଏଥିପାଇଁ ୮ଟି ମନିଟରିଂ ଟିମ୍‌ ଗଠିତ ହୋଇଥିଲା। ଶନିବାର ଆଉ ଗୋଟେ ଟିମ୍‌ କରାଯାଇ ଏହି ତିନିଜଣଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛନ୍ତି। ଶନିବାର ସୁଦ୍ଧା ୩,୨୩୬ଜଣ ବିଦେଶ ଫେରନ୍ତା ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଫୋନ୍‌ ନମ୍ବର ୧୦୪ ଓ ଓ୍ବେବ୍‌ସାଇଟ୍‌ରେ ପଞ୍ଜୀକୃତ କରିଛନ୍ତି ବୋଲି ବାଗ୍‌ଚୀ କହିଛନ୍ତି।

Share