ହସ୍ପିଟାଲ ଆଇସୋଲେଶନରେ ୨୮

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ କରୋନା ଭାଇରସ୍‌ (କୋଭିଡ୍‌-୧୯) ସଂକ୍ରମଣ ଉପରେ ସରକାର କଡ଼ା ନଜର ରଖିଛନ୍ତି। ରବିବାର ସୁଦ୍ଧା ଓଡ଼ିଶାରେ ୭୬ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ରିପୋର୍ଟ ହସ୍ତଗତ ହୋଇଛି। ସେଥିରୁ ୨ଟି ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଉସବୁ ନେଗେଟିଭ ରହିଛି। ତେବେ ଚିହ୍ନଟ ୨ ଜଣଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଉଭୟ ହସ୍ପିଟାଲ୍‌ରେ ଦିଆଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତି। ଏମାନଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ୨୮ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେଶନ୍‌ରେ ରଖାଯାଇଛି। ଅନ୍ୟ ୩ଜଣଙ୍କ ସହ ଯୋଗାଯୋଗ ପାଇଁ ଏବେବି ପ୍ରଚେଷ୍ଟା ଚାଲିଛି। ୯ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ ୩,୪୭୪ ଜଣ ୧୦୪ ହେଲ୍ପଲାଇନ୍‌ ଜରିଆରେ ପଞ୍ଜୀକରଣ କରିଛନ୍ତି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ କହିଛନ୍ତି। ହୋମ୍‌ କ୍ବାରାଣ୍ଟାଇନ୍‌ରେ ରହି ମାର୍ଗଦର୍ଶିକା ପାଳନ କରୁ ନ ଥିବା ଏବଂ ବିପଦପୂର୍ଣ୍ଣ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗରେ ବହୁ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ବାଗ୍‌ଚୀ କହିଛନ୍ତି।

Share