ହସ୍‌ପିଟାଲରେ ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଉନ୍ମୋଚିତ, ମିଳିବ ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସୂଚନା

ଭୁବନେଶ୍ୱର,୯।୮(ବ୍ୟୁରୋ): ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଜନସଚେତନତା ବୃଦ୍ଧି ତଥା ସ୍ବାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପ୍‌ଡେଟ୍‌ ସୂଚନା ଲୋକଙ୍କ ନିକଟରେ ପହଞ୍ଚିବ। ଏଥି ନିମନ୍ତେ କ୍ୟାପିଟାଲ୍‌ ହସ୍ପିଟାଲ ସମେତ ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଅନ୍ୟ ଡାକ୍ତରଖାନା ଗୁଡ଼ିକରେ ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡକୁ ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଉନ୍ମୋଚିତ କରିଛନ୍ତି। କ୍ୟାପିଟାଲ୍‌ ହସ୍ପିଟାଲ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୋଟ ୧୨ଟି ସ୍ଥାନରେ ଏହି ବୋର୍ଡ ଉଦ୍‌ଘାଟିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମ୍ୟାଲେରିଆ, କୀଟ ନାଶକ ସିଞ୍ଚନ, ଔଷଧୀୟ ମଶାରୀ ବ୍ୟବହାର, ଚେଙ୍କ, ଗର୍ଭାବସ୍ଥାର ଲକ୍ଷଣ, ସ୍ତନ୍ୟପାନ, ପରିବାର ନିୟୋଜନ, ଶୌଚାଳୟ ବ୍ୟବହାର, ନିରାମୟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ସମ୍ବଳିତ ଅଡିଓ ଏହି ବୋର୍ଡରେ ପ୍ରଦର୍ଶିତ ହେବାର ଯୋଜନା ରହିଛି। ତେବେ ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ସମେତ ବିଭାଗର ସ୍ବତନ୍ତ୍ର ସଚିବ, ନିର୍ଦ୍ଦେଶକ ବୃନ୍ଦ, କ୍ୟାପିଟାଲ ହସ୍‌ପିଟାଲ ନିର୍ଦ୍ଦେଶକଙ୍କ ସମେତ ଅନେକ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

Share