ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ବେଖାତିର,ବେଆଇନ ଦର୍ଶାଇ ଭାଙ୍ଗିଲେ ଓମ୍‌ଫେଡ୍‌ ଦୋକାନ

ଭୁବନେଶ୍ୱର,୧୫ା୮(ବ୍ୟୁରୋ):ରାଜଧାନୀରେ ବିଏମ୍‌ସିର ଏକ ମନମାନି ଘଟଣା ସ୍ଥାନୀୟ ସିଏମ୍‌ପିଡିଆଇ କଲୋନୀରେ ଦେଖିବାକୁ ମିଳିଛି। ପିସି ନ ଦେବାରୁ ବିଏମ୍‌ସି ଅଧିକାରୀମାନେ ରମେଶ ଚନ୍ଦ୍ର ବାରିକଙ୍କ ଏକ ଓମ୍‌ଫେଡ ଦୋକାନକୁ ମିଳିତ ଉଚ୍ଛେଦକାରୀ ଦଳ ଦ୍ୱାରା ଭାଙ୍ଗି ଦେଇଛନ୍ତି। ଫଳରେ ପରିବାର ଚଳାଇବାକୁ ଏକମାତ୍ର ସାହା ଥିବା ଏହି ଓମ୍‌ଫେଡ ପାଇଁ ଏବେ ରମେଶଚନ୍ଦ୍ରଙ୍କ ପରିବାର ରାଜରାସ୍ତାକୁ ଚାଲି ଆସିଛନ୍ତି। ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ଷ୍ଟେ ଅର୍ଡର ଥିଲେ ମଧ୍ୟ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ବେଖାତିରି କରିଛନ୍ତି। କୋର୍ଟ ଦୋକାନକୁ ଭାଙ୍ଗିବାକୁ ବାରଣ କରିଥିବା ବେଳେ ବିଏମ୍‌ସି ଅଧିକାରୀମାନେ ନିଜର ମନମାନି ଦେଖାଇ ତାକୁ ଭାଙ୍ଗିଥିବା ନଜିରକୁ ଆସିଛି। ଅନ୍ୟପକ୍ଷେ ରମେଶ ନ୍ୟାୟ ପାଇଁ ବିଭିନ୍ନ ମହଲକୁ ଯାଇଥିଲେ ମଧ୍ୟ ନ୍ୟାୟ ମିଳିନାହିଁ। ତେଣୁ ଶେଷରେ ସପରିବାର ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଆତ୍ମାହୁତି ଦେବେ ବୋଲି କହିଛନ୍ତି।
ଅଭିଯୋଗ ଅନୁଯାୟୀ, ରମେଶ ପରିବାର ସହ ସାମନ୍ତରାପୁର ବସ୍ତିରେ ବସବାସ କରୁଥିବା ବେଳେ ସିଏମ୍‌ପିଡିଆଇ କଲୋନୀରେ ୨୦୧୧ରୁ ସେ ଓମ୍‌ଫେଡ ଦୋକାନ କରିଥିଲେ। ଏପରିକି ଦୋକାନ କରିବା ପାଇଁ ବିଏମ୍‌ସି ସ୍ଥାନ ଚିହ୍ନ କରିବା ସହ ଓମ୍‌ଫେଡ ଲାଇସେନ୍ସରେ ସେ ସେଠାରେ ଦୋକାନ ଚଳାଇ ଆସୁଥିଲେ। ବାତ୍ୟା ଫନୀରେ ତାଙ୍କ ଦୋକାନ ଭାଙ୍ଗିଯାଇଥିଲା। ତେଣୁ ସେ ତାଙ୍କ ଦୋକାନକୁ ପୁଣି ଥରେ ତିଆରି କରୁଥିଲେ। ହେଲେ ସ୍ଥାନୀୟ ନେତା ପ୍ରଥମେ ରମେଶଙ୍କୁ ଦୋକାନ ପାଇଁ ଚାନ୍ଦା ମାଗି ଥିଲେ। ରମେଶ ରୋକ୍‌ଠୋକ ମନା କରି ଦେବାରୁ କେତେଜଣ ପ୍ରଭାବଶଳୀ ନେତାଙ୍କ ଦ୍ୱାରା ବିଏମ୍‌ସି ଜୋନାଲ ଅଧିକାରୀ ରମେଶଙ୍କ ଦୋକାନ ଭାଙ୍ଗିଥିବା କଥା ଜଣାପଡ଼ିଛି। ସେଠାରେ ଅନ୍ୟ ଦୋକାନ ଥିଲେ ମଧ୍ୟ ବିଏମ୍‌ସି କାହିଁକି ଓ କ’ଣ ପାଇଁ ରମେଶଙ୍କ ଦୋକାନ ଉଚ୍ଛେଦ କଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ରମେଶ କୋର୍ଟ ଦେଇଥିବା ଷ୍ଟେ ଅର୍ଡରକୁ ଦେଖାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଏ ନେଇ ବିଡିଏର ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି କହିଛନ୍ତି, ବିଏମ୍‌ସିର ତତ୍ତ୍ୱାବଧାନରେ ବିଡିଏ ଓ ମିଳିତ ଉଚ୍ଛେଦକାରୀ ଦଳ ଉଚ୍ଛେଦ କରେ। ଏକାଧିକ ଦୋକାନୀ ଅସ୍ଥାୟୀ ଲାଇସେନ୍ସ ଦିଆଯାଇଛି ଦୋକାନ କରିବାକୁ। ଆଉ ସ୍ବଳ୍ପ ଲୋକଙ୍କୁ ଦିଆଯାଇଛି ସ୍ଥାୟୀ ଦୋକାନ କରିବାକୁ। ତେଣୁ ରମେଶ ଅସ୍ଥାୟୀ ଭାବେ ଲାଇସେନ୍ସ ନେଇଥିବେ। କ’ଣ ପାଇଁ ତାଙ୍କ ଦୋକାନ ଭଙ୍ଗାଗଲା ସେନେଇ ଅନୁଧ୍ୟାନ କରାଯିବ। ତା’ପରେ ଯାଇ କିଛି ନିଷ୍କର୍ଷ ବାହାରିପାରିବ ବୋଲି ସେ କହିଛନ୍ତି।